Categories: ଜାତୀୟ

ପୋକ୍ସୋ ଆଇନରେ ସଂଶୋଧନକୁ ମଞ୍ଜୁରୀ:ଶିଶୁଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ, ୨।୮(ପି.ଟି./ଆଇଏଏନ୍‌ଏସ୍‌):ଦେଶରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଥିବାବେଳେ ସେମାନଙ୍କୁ ଏଥିରୁ ରକ୍ଷାକରିବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନରେ ସଂଶୋଧନକୁ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ଗୁରୁବାର ଲୋକ ସଭାରେ ଦଳମତ ନିର୍ବିଶେଷରେ ସବୁ ସଦସ୍ୟ ଉକ୍ତ ବିଲ୍‌କୁ ସମର୍ଥନ ଜଣାଇଥିଲେ। ଗତ ସପ୍ତାହରେ ଏହି ବିଲ୍‌ ରାଜ୍ୟ ସଭାର ଅନୁମୋଦନ ଲାଭ କରିଥିଲା। ଶିଶୁଙ୍କୁ ବଳାତ୍କାର କଲେ ସଂଶୋଧିତ ବିଲ୍‌ରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଶିଶୁମାନଙ୍କ ପ୍ରତି ଅନ୍ୟାନ୍ୟ ଅପରାଧ କ୍ଷେତ୍ରରେ ମଧ୍ୟ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ବିଲ୍‌ ଆଗତ କରି ଏହା ଶିଶୁମାନଙ୍କୁ ଯୌନ ଅପରାଧ, ଶୋଷଣ ଓ ଯୌନୋଦ୍ଦୀପକ ଚିତ୍ର ପ୍ରସ୍ତୁତି ଆଦି ଅପରାଧରୁ ସୁରକ୍ଷା ଦେବ ବୋଲି କହିଥିଲେ। ଛୋଟ ପିଲା ଭୋଟ ଦେଉ ନ ଥିବାରୁ ଏହି ବିଲ୍‌ ପଛରେ ଭୋଟବ୍ୟାଙ୍କ ରାଜନୀତି ନାହିଁ। କେବଳ ଦେଶର ଭବିଷ୍ୟତମାନଙ୍କ ନିରାପତ୍ତା ଓ ଉପଯୁକ୍ତ ସମ୍ମାନ ଲାଗି ସଂଶୋଧିତ ବିଲ୍‌ ଅଣାଯାଇଥିବା ସେ କହିଥିଲେ।
ପୋକ୍ସୋ ସଂଶୋଧନ ବିଲ୍‌କୁ ବିଜେଡି ସମର୍ଥନ ଜଣାଇଛି। ତେବେ ଯୌନ ନିର୍ଯାତନାର ସମ୍ମୁଖୀନ ହେଉଥିବା ଶିଶୁଙ୍କ ପାଇଁ ଅଧିକ କ୍ଷତିପୂରଣ ବ୍ୟବସ୍ଥା କରିବା ନିମନ୍ତେ ବିଜେଡିର ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ପ୍ରସ୍ତାବ ରଖିଥିଲେ। ପୀଡିତଙ୍କ ଶିକ୍ଷା ଓ ଭବିଷ୍ୟତ ଯୋଜନା ପାଇଁ ଅଧିକ କ୍ଷତିପୂରଣ ମିଳିବା ଆବଶ୍ୟକ। ଅପରାଧ କମାଇବା ଲାଗି ମାମଲାର ତୁରନ୍ତ ବିଚାର ଜରୁରୀ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ପୋକ୍ସୋ ଆଇନରେ ଦୋଷୀସାବ୍ୟସ୍ତ ହାର ୩% ରୁ କମ୍‌ ରହୁଛି। ଏହା ବୃଦ୍ଧି ପାଇଲେ ଅପରାଧ କମିବ। ପୀଡ଼ିତ ଭିନ୍ନକ୍ଷମ ହୋଇଥିଲେ ଦଣ୍ଡକୁ ଆହୁରି କଡ଼ାକଡି କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

Share