Categories: ଜାତୀୟ

‘ପେହଲୁ ଖାନ୍‌ ମରିନାହାନ୍ତି’

ଜୟପୁର,୧୫ା୮: ଗୋରୁ ବ୍ୟବସାୟୀ ପେହଲୁ ଖାନ୍‌ଙ୍କୁ ଦୁଇବର୍ଷ ତଳେ କେହି ମାରିନାହାନ୍ତି। ଅର୍ଥାତ ସେ ମରିନାହାନ୍ତି। ରାଜସ୍ଥାନର ଏହି ବହୁଚର୍ଚ୍ଚିତ ଭିଡ଼ହିଂସା ମାମଲାରେ ଅଲଓ୍ବର କୋର୍ଟ ବୁଧବାର ପ୍ରମାଣ ଅଭାବରୁ ସମସ୍ତ ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିବା ପରେ ଏହା ମନେହେଉଛି। ଅଦାଲତଙ୍କ ରାୟ ପରେ ସୋସିଆଲ ମିଡିଆରେ ୟୁଜର୍ସ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
୨୦୧୭ ଏପ୍ରିଲ ୧ରେ ହରିୟାଣାର ନୁହ ଜିଲା ନିବାସୀ ପେହଲୁ (୫୫) ରାଜସ୍ଥାନ ରାଜଧାନୀ ଜୟପୁରରୁ ଦୁଇଟି ଗାଈ କିଣି ନିଜ ଘରକୁ ନେଉଥିଲେ। ଦୁଇପୁଅ ଓ ଅନ୍ୟ କେତେଜଣ ବ୍ୟକ୍ତି ତାଙ୍କ ସହ ଥିଲେ। ସେମାନେ ସନ୍ଧ୍ୟା ୭ଟାରେ ବହରୋଡ୍‌ ପୋଲ ଦେଇ ଅତିକ୍ରମ କରୁଥିବାବେଳେ କେତେଜଣ ଲୋକ ସେମାନଙ୍କ ଗାଡ଼ିକୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କଠାରୁ ମାଡ଼ ଖାଇ ଲହୁଲୁହାଣ ହେବା ପରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ପେହଲୁ ୩ ତାରିଖରେ ଆଖିବୁଜି ଦେଇଥିଲେ। ଅଲଓ୍ବର ଜିଲା ଅତିରିକ୍ତ ଜଜ୍‌ ସରିତା ସ୍ବାମୀ ଏହି ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିଦେଇଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାୟକୁ ଉଚ୍ଚତର କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ଯୋଗେନ୍ଦ୍ର ଖଟାନା କହିଛନ୍ତି।
ପ୍ରକାଶ ଯେ, ବେହରାର ପୋଲିସ ମାମଲାର ତଦନ୍ତ କରି ପେହଲୁ ହତ୍ୟା ଓ ବେଆଇନ ଗୋରୁ ପରିବହନ ନେଇ ୭ଟି ମାମଲା ରୁଜୁ କରିଥିଲା। ଭିଡ଼ହିଂସା ମାମଲାରେ ବିପିନ, ରବୀନ୍ଦ୍ର, କାଲୁରାମ, ଦୟାନନ୍ଦ ଏବଂ ଯୋଗେଶ କୁମାରଙ୍କ ବିରୋଧରେ ଚାର୍ଜଶିଟ୍‌ ହୋଇଥିଲା। ପରେ ଗୋଲିୟା ଏବଂ ଭୀମ ରାଠିଙ୍କ ବିରୋଧରେ ଅତିରକ୍ତ ଚାର୍ଜଶିଟ ଦାଖଲ କରାଯାଇଥିଲା। ପେହଲୁଙ୍କ ଦୁଇ ପୁଅଙ୍କ ସମେତ ୪୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଦୁଇବର୍ଷ ଧରି ଏହି ମାମଲାର ବିଚାର ଚାଲିବା ପରେ ଗତ ୭ ତାରିଖରେ ଅଦାଲତ ଏହାର ରାୟ ସଂରକ୍ଷିତ ରଖିଥିଲେ। ବୁଧବାର ଏହି ରାୟ ଆସିଛି। ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ପ୍ରମାଣ ଯୋଗାଡ଼ କରି ପାରିନାହିଁ ଅଥବା ସେମାନଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଜାଣିଶୁଣି ପ୍ରମାଣଗୁଡ଼ିକୁ ନଷ୍ଟ କରିଦିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Share