ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ପଣ୍ଡ: ପାଟ୍ରୋଲିଂ ବେଳେ ପୋଲିସ ହାତରେ ଧରାପଡ଼ିଲେ, ୬ ଗିରଫ; ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୧।୫: ବଡ଼ବଜାର ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଥାନାଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ୍‌ ସୋମବାର ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଶ୍ରୀକ୍ଷେତ୍ର ବିହାରରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଏକତ୍ରିତ ହୋଇଥିବା ୬ ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛନ୍ତି। ସେମାନେ ହେଲେ ଗୋଶାଣିନୂଆଗାଁ ରାଜୀବନଗରର ଅଜୁ ସାହୁ (୩୨), କଳୁଆ ସାହିର ମନୋଜ ସାମନ୍ତରା (୩୦), ଲାଞ୍ଜିପଲ୍ଲୀ ଢିପ ସାହିର ଶିବ ଘଣ୍ଟ(୨୨), ଅକ୍ଷୟ ନାୟକ (୨୩), କଳୁଆ ବାଉରୀ ସାହିର ଜଗନ୍ନାଥ ଦାସ (୨୮) ଓ ଲାଞ୍ଜିପଲ୍ଲୀର ଦୀପକ ଚୌହାନ (୨୨)। ଘଟଣାସ୍ଥଳରୁ ପୋଲିସ ୨ଟି ଖଣ୍ଡା, ୪ଟି ବୋମା ଜବତ କରିଥିବା କହିଛି। ଶ୍ରୀକ୍ଷେତ୍ରବିହାର ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ସେମାନେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ବୋଲି ପୋଲିସକୁ ଜେରା ବେଳେ କହିଥିବା ନେଇ ଥାନାଧିକାରୀ ଭୂପତି ସୂଚନା ଦେଇଛନ୍ତି । ସେମାନଙ୍କ ବିରୋଧରେ ମାମଲା (ନଂ-୮୪/୧୯)ରୁଜୁ କରାଯାଇଥିବା ବେଳେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ।

Share