ପେଟ୍ରୋଲ ପମ୍ପରେ ଛିଡ଼ା ହୋଇଥିବା ଟ୍ରକରୁ ଲୁଟ ,୨ ଗିରଫ

ବଡବିଲ, ୩ା୪(ସ୍ବ.ପ୍ର.)-ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ଏକ ଟ୍ରକରୁ ଲୁଟ ଅଭିଯୋଗରେ କେନ୍ଦୁଝର ଜିଲା ବଡବିଲ ପୋଲିସ ଶୁକ୍ରବାର ୨ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଯୋଡା ଥାନା ଅନ୍ତର୍ଗତ ପାତ୍ର ସାହି ଅଞ୍ଚଳର ଅନିଲ ଗୋପ ଓରଫ୍‌ ଡାଡୁ ଏବଂ ସୁଶାନ୍ତ କୁମାର ପାତ୍ର ଓରଫ୍‌ ବାବୁ। ପୋଲିସ ସୂଚନା ଅନୁ୍‌ଯାୟୀ, ବଡବିଲ ଥାନା ଅଧୀନ ଭୁଷୁଗାଁସ୍ଥିତ ଭରଦ୍ୱାଜ ପେଟ୍ରୋଲ ପମ୍ପ ପରିସରରେ ଗୁରୁବାର ରାତିରେ କେତେକ ଟ୍ରକ ଛିଡା ହୋଇଥିଲେ। ବିଳମ୍ବିତ ରାତିରେ ହଠାତ ୨ଜଣ ଦୁର୍ବୃତ୍ତ ଟ୍ରକ ଡ୍ରାଇଭରମାନଙ୍କୁ ଭୟଭୀତ କରି ସେମାନଙ୍କ ନିକଟରୁ ନଗଦ ପ୍ରାୟ ୧୧ ହଜାର ୫ ଶହ ଟଙ୍କା ଲୁଟିନେଇଥିବା ବଡବିଲ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ସେମାନଙ୍କଠାରୁ ନଗଦ ୭ ହଜାର ୫ ଶହ ଟଙ୍କା, ୪ ଟି ମୋବାଇଲ ଓ ଏକ ବାଇକକୁ ଜବତ କରିଥିବା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।