ପେଟ୍ରୋଲ ପମ୍ପରୁ ଲୁଟ୍‌: କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ମାର୍ଶାଘାଇ,୨୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ନଂ. ଜାତୀୟ ରାଜପଥ ମାର୍ଶାଘାଇ କ୍ରସିଂ ଛକ ଓ ହଜାରୀ ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପରୁ ଲୁଟ୍‌ ହୋଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏକ ବାଇକ୍‌ରେ ୩ ଦୁର୍ବୃତ୍ତ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟି ନେଇଥିଲେ। ତେବେ କେତେ ଟଙ୍କା ଲୁଟ୍‌ ହୋଇଛି ଠିକ୍‌ ଭାବେ ଜଣାପଡି ନ ଥିବା ବେଳେ ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ହୋଇଥିବା ଅନୁମାନ କରାଯାଉଛି। ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।