Categories: ଗଞ୍ଜାମ

ପେଟ୍ରୋଲ୍‌ପମ୍ପରୁ ୨ଲକ୍ଷ ୭୦ହଜାର ଟଙ୍କା ଲୁଟ

ପୁରୁଷୋତ୍ତମପୁର,୨୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୁଟେରାମାନେ ଦିନକୁ ଦିନ ସକ୍ରିୟ ହୋଇ ଗୋଟିଏ ପରେ ଗୋଟିଏ ଲୁଟ୍‌ପାଟ ଚଳାଇଛନ୍ତି। ସହର ଉପକଣ୍ଠରେ ଥିବା ରଘୁନାଥ ସାହୁ ପେଟ୍ରୋଲ ପମ୍ପରୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଶଟର୍‌ ତାଡି ୨ଲକ୍ଷ ୭୦ ହଜାର ଟଙ୍କା ସହ ୨ କମ୍ପ୍ୟୁଟର ପେଟ୍ରୋଲ ପମ୍ପ ଅଫିସ ରୁମରେ ଲାଗିଥିବା ସିସିଟିଭି କ୍ୟାମେରା ହାର୍ଡଡିକ୍ସ ଲୁଟି ନେଇଛନ୍ତି। ରବିବାର ସକାଳୁ ପେଟ୍ରୋଲ ପମ୍ପ ଖୋଲିବାକୁ ଆସିଥିବା ସେଲ୍‌ସମ୍ୟାନ ସରୋଜ କୁମାର ପଟ୍ଟନାୟକ ଏହା ଦେଖି ମାଲିକ ନିର୍ମଳ ଚନ୍ଦ୍ର ସାହୁଙ୍କୁ ଜଣାଇଥିଲେ। ପରେ ଏନେଇ ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ଜଗନ୍ନାଥ ମଲ୍ଲିକ ନଂ.୧୨୦/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଲୁଟେରାମାନେ କମ୍ପ୍ୟୁଟର ଓ ସିସିଟିଭି ହାର୍ଡଡିସ୍କ ନେଇ ଯାଇଥିବାରୁ ପୋଲିସକୁ ସିସିଟିଭି ଫୁଟେଜ ମିଳିପାରିନାହିଁ। ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।