ପୃଥିବୀରେ ୨ କୋଟି ୩୦ଲକ୍ଷରୁ ଅଧିକ ବାଳିକା ବଧୂ: ୟୁନିସେଫ୍‌ ରିପୋର୍ଟ

ନ୍ୟୁୟର୍କ,୮।୬: ପୃଥିବୀରେ ଶିଶୁ କନ୍ୟା ଏବେ ମଧ୍ୟ ଅବହେଳିତ। ନାନା ପ୍ରକାର ସତେଚନତା କାର୍ଯ୍ୟକ୍ରମ ପରେ ବି ବିଭିନ୍ନ ରାଷ୍ଟ୍ରରେ ବାଳିକାଙ୍କୁ ବିବାହଯୋଗ୍ୟା ବୟସ ପୂର୍ବରୁ ଦାମ୍ପତ୍ୟ ଜୀବନର ବେଡିରେ ବାନ୍ଧି ଦିଆଯାଉଛି। ଏଥି ପାଇଁ ସାମାଜିକ ବ୍ୟବସ୍ଥା ତଥା ମାତାପିତା ହିଁ ଦାୟୀ ବୋଲି ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ପୃଥିବୀର ବିଭିନ୍ନ ଦେଶରେ ଏବେ ୨ କୋଟି ୩୦ ଲକ୍ଷରୁ ଅଧିକ ବାଳିକା ବଧୂ ରହିଛନ୍ତି। ୮୨ଟି ଦେଶରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଏସବୁ ମଧ୍ୟରେ ସବ୍‌ ସାହାରା, ଆଫ୍ରିକା, ଲାଟିନ୍‌ ଆମେରିକା, କାରିବିୟନ୍‌, ଦକ୍ଷିଣ ଏସିଆ, ପୂର୍ବ ଏସିଆ ତଥା ପାସିଫିକ୍‌ ଅଞ୍ଚଳର ଦେଶ ସମୂହ ରହିଛନ୍ତି। ସେଥିମଧ୍ୟରୁ ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ୍‌ରେ ସର୍ବାଧିକ ଏଭଳି ଘଟଣା ଘଟୁଛି। ଏଠାରେ ୨୮ ପ୍ରତିଶତ ବାଳିକାବଧୂ ରହିଛନ୍ତି। ଏସବୁ ଅଞ୍ଚଳରେ ୧୫ ବର୍ଷରୁ କମ୍‌ ବୟସ୍କା ବାଳିକାଙ୍କୁ ବିବାହ କରି ଦିଆଯାଉଛି। ଏହାଦ୍ୱାରା ବାଳିକାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେବା ସହିତ ସେମାନଙ୍କ ପିଲାଦିନ ସଂସାର ଜଞ୍ଜାଳରେ ହଜି ଯାଉଛି। ମୁଖ୍ୟତଃ ସମାଜର ଗରିବ ଲୋକଙ୍କ କ୍ଷେତ୍ରରେ ଏଭଳି ଅଧିକ ଘଟୁଥିବା ରିପୋର୍ଟରେ ଦର୍ଶାଯାଇଛି।

Share