ପୂର୍ବ ନିର୍ଦ୍ଧାରିତ ପଥରେ ହିଁ ଗତି କରୁଛି ‘ଅମ୍ଫନ୍‌’; କିଛି ସମୟ ପାଇଁ ବାଲେଶ୍ୱରରେ ପବନ ବେଗ ବଢ଼ିବ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବେଳକୁ ବେଳ ଦୀଘା ନିକଟତର ହେଉଛି ବାତ୍ୟା ‘ଅମ୍ଫନ୍‌’। ଏବେ ବାତ୍ୟା ଦୀଘାଠାରୁ ୯୫ କିମି ଦୂରରେ ରହିଛି। ସେହିଭଳି ପାରାଦୀପଠାରୁ ଉତ୍ତରପୂର୍ବ ଦିଗରେ ୧୫୦ କିମି ଦୂରକୁ ବାତ୍ୟା ଗତି କରିଛି। ଅମ୍ଫନ୍‌ର ଅପ୍‌ଡେଟ୍‌ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ଅଧିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ଦୀଘାଠାରୁ ୯୫ କିମି ଦୂରରେ ରହିଛି। ଆଉ ୩ରୁ ସାଢ଼େ ୩ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍‌ ଆରମ୍ଭ ହେବ। କିଛି ସମୟ ପର୍ଯ୍ୟନ୍ତ ବାଲେଶ୍ୱରରେ ପବନର ବେଗ ବଢ଼ିବ। ଆଇଏମ୍‌ଡିର ପୂର୍ବ ନିର୍ଦ୍ଧାରିତ ପଥରେ ହିଁ ବାତ୍ୟା ଅମ୍ଫନ ଗତି କରୁଛି। ମଙ୍ଗଳବାର ରାତିରେ ଗତିପଥ ନେଇ ଦ୍ୱିଧା ସୃଷ୍ଟି ହୋଇଥିଲା। ଉପକୂଳର ଆଉ ଟିକିଏ ପାଖକୁ ଆସିଯିବ ବୋଲି ଶୁଣାଯାଇଥିଲା। ରାତି ୩ଟାରେ ୩ ଜିଲାପାଳଙ୍କୁ ଫୋନ୍‌ କରି ଅତିରିକ୍ତ ବ୍ୟବସ୍ଥା ପାଇଁ କୁହାଯାଇଥିଲା। ପରେ ବିଳମ୍ବିତ ରାତିରେ ଆଇଏମ୍‌ଡି ମହାନିର୍ଦ୍ଦେଶକଙ୍କ ସହ କଥା ହୋଇଥିଲି। ସେ ପ୍ରବୋଧନା ଦେଇଥିଲେ। ସେ କହିଥିଲେ ବାତ୍ୟାର ଗତିପଥ ବିଲ୍‌କୁଲ୍‌ ବଦଳିବ ନାହିଁ। ନିର୍ଦ୍ଧିଷ୍ଟ ଗତିପଥରେ ହିଁ ବାତ୍ୟା ଯିବ। ଏପରିକି ପଶ୍ଚିମକୁ ମାଡ଼ିକରି ଆଦୌ ଯିବ ନାହିଁ ବୋଲି କହିଥିଲେ। ତେବେ ସେ କହିବା ଦିଗରେ ହିଁ ବାତ୍ୟା ଗତି କରୁଛି। ପୂର୍ବ ଆକଳନ ଅନୁଯାୟୀ ନିର୍ଦ୍ଧିଷ୍ଟ ଗତିପଥରେ ବାତ୍ୟା ଆଗକୁ ବଢ଼ୁଛି। ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଛି, ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ଗଛ ସଫା କାର୍ଯ୍ୟ ଚାଲିଛି। ଲୋକଙ୍କୁ ଉଦ୍ଧାର କରି ୨୯୨୧ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ୧୮୮୫ ଜଣ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ରଖାଯାଇଛି ବୋଲି ସେ କହିଛନ୍ତି ା