ପୂର୍ବାଞ୍ଚଳ ବିମାନବନ୍ଦରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ପକ୍ଷରୁ ବୁଧବାର ପୂର୍ବ ଭାରତରେ ଥିବା ବିମାନବନ୍ଦରଗୁଡ଼ିକର ଆଞ୍ଚଳିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ବିମାନବନ୍ଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କୋଲକାତା, ଭୁବନେଶ୍ୱର, ପାଟନା, ରାଞ୍ଚି, ରାୟପୁର, ବଗ୍‌ଡୋଗ୍ରା, ପୋର୍ଟବ୍ଲେୟାର୍‌ ଓ ଗୟା ବିମାନବନ୍ଦରର କାର୍ଯ୍ୟଧାରା ସମ୍ପର୍କିତ ସମୀକ୍ଷା କରାଯାଇଥିଲା। ଆଇଏଏସ୍‌ ତଥା ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଚେୟାରମ୍ୟାନ୍‌ ଜି. ମହାପାତ୍ରଙ୍କ ନେତୃତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ଅବସରରେ ବିମାନବନ୍ଦରଗୁଡ଼ିକର କାର୍ଯ୍ୟାବଳୀ ସହ ବିଗତ ବର୍ଷର ରେକର୍ଡକୁ ଯାଞ୍ଚ କରାଯାଇଥିଲା। ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ, ବିମାନବନ୍ଦର ଭିତ୍ତିଭୂମିର ବିକାଶ, ରହିଥିବା ସମସ୍ୟା ଏବଂ ଆୟ ତଥା ଲାଭାଂଶ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଉପରୋକ୍ତ ସମସ୍ତ ବିମାନବନ୍ଦରର ନିର୍ଦ୍ଦେଶକ ଯୋଗଦେଇ ତଥ୍ୟ ଉପସ୍ଥାପନ କରିଥିଲେ। ଏଏଆଇ ଅଧ୍ୟକ୍ଷଙ୍କ ସହ ଆଞ୍ଚଳିକ ମୁଖ୍ୟ ଏବଂ ବିମାନବନ୍ଦର ନିର୍ଦ୍ଦେଶକମାନେ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଦିଗରେ ଆଲୋଚନା କରିଥିଲେ।