ପୂର୍ବଭାରତ ବିଜ୍ଞାନ ନାଟକ ପ୍ରତିଯୋଗିତା: ପଞ୍ଚାୟତିରାଜ ହାଇସ୍କୁଲ ଚାମ୍ପିୟନ

ଢେଙ୍କାନାଳ ଅଫିସ, ୨୨।୮ – ଲଗାତର ତୃତୀୟ ଥର ପାଇଁ ପୂର୍ବଭାରତ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଚାମ୍ପିୟନ ହୋଇ ଜାତୀୟସ୍ତରକୁ ଚୟନ ହୋଇଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତିରାଜ ହାଇସ୍କୁଲ। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ମଞ୍ଚସ୍ଥ ନାଟକ ‘ସୃଷ୍ଟି-ନିଡ୍‌ସ କେୟାର’ ବିଚାରକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ଏହାପରେ ନାଟକ ଟିମ୍‌କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
ଜିଲା ଏବଂ ରାଜ୍ୟସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିବା ପରେ ‘ସୃଷ୍ଟି-ନିଡ୍‌ସ କେୟାର’ ପୂର୍ବ ଭାରତ ନାଟକ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଥିଲା। କଲିକତାର ବିର୍ଲା ଇଣ୍ଡଷ୍ଟ୍ରିଆଲ ଆଣ୍ଡ୍‌ ଟେକ୍ନୋଲୋଜିକାଲ ମ୍ୟୁଜିୟମ୍‌ରେ ବୁଧବାର ଆୟୋଜିତ ନାଟକରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲା ଏହି ନାଟକ। ପରିବେଶ ସନ୍ତୁଳନ, ସୁରକ୍ଷା ଏବଂ ସଚେତନତା ଉପରେ ପର୍ଯ୍ୟବସିତ ଉକ୍ତ ନାଟକକୁ ନିଖୁଣ ଭାବେ ଅଭିନୟ ମାଧ୍ୟମରେ ଦର୍ଶାଇଥିଲେ ଶିକ୍ଷାନୁଷ୍ଠାନର କଳାକାର। ଆସନ୍ତା ଜାନୁୟାରୀ ୮ ଏବଂ ୯ରେ କଲିକତାରେ ଆୟୋଜିତ ହେବାକୁ ଥିବା ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ କାନପୁରା ପଞ୍ଚାୟତିରାଜ ହାଇସ୍କୁଲ ପୂର୍ବ ଭାରତକୁ ପ୍ରତିନିଧିତ୍ୱ କରିବ।
ନାଟ୍ୟକାର ଦୀନେଶ ଦାସଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ଏହି ନାଟକରେ ବିଜୟଲକ୍ଷ୍ମୀ ବିଶ୍ୱାଳ, ଶର୍ମିଷ୍ଠା ପ୍ରଧାନ, ସସ୍ମିତା ଦେହୁରୀ, ସଙ୍ଗୀତା ବେହେରା, ସ୍ବୟଂଶୁଭମ୍‌ ନନ୍ଦ, ଜଗନ୍ନାଥ ରାଉତ, ଯଶୋବନ୍ତ ଦେହୁରୀ, ଅବିନାଶ କୁମାର ସାହୁ ପ୍ରମୁଖ ଅଭିନୟ କରିଥିଲେ। ଶିକ୍ଷୟିତ୍ରୀ କବିତା ରାଉତ, ସୁମିତ୍ରା ଜେନା, ଶିକ୍ଷକ ଧ୍ରୁବଚରଣ ସୁନ୍ଦରାୟ, ସମରେନ୍ଦ୍ର ନାୟକ, କର୍ମଚାରୀ ରବି ନାରାୟଣ ରାଉତ ପ୍ରମୁଖ ନାଟ୍ୟ ଦଳରେ ସାମିଲ ଥିଲେ। ଜିଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା ନାଟକରେ ଭାଗ ନେଇଥିବା ଛାତ୍ରୀଛାତ୍ର, ନିର୍ଦ୍ଦେଶକ ଏବଂ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।