Categories: ଖେଳ

ପୂର୍ବତନ ରଣଜୀ କ୍ରିକେଟରଙ୍କୁ ହତ୍ୟା ଅଭିଯୋଗରେ ପୁଅଙ୍କୁ ଗିରଫ କଲା ପୋଲିସ

ଥିରୁଭାନନ୍ତପୁରମ, ୧୧।୬-  ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଜୟମୋହନ ଥାମ୍ପିଙ୍କର ନିଜ ବାସବଭନରେ ମୃତ୍ୟୁ ଘଟିଛି। ମାତ୍ର ତାଙ୍କ ମୃତ୍ୟୁ ସହ ଜଡ଼ିତ ଥିବା ଅଭିଯୋଗରେ ଥିରୁଭାନନ୍ତପୁରମସ୍ଥିତ ଫୋର୍ଟ ପୋଲିସ ତାଙ୍କ ପୁଅ ଅଶ୍ୱିନଙ୍କୁ ଗିରଫ କରିଛି। ଉଭୟ ବାପା ଓ ପୁଅ ମନକାଉଦ୍‌ସ୍ଥିତ ବାସଭବନରେ ଏକାଠି ରହୁଥିଲେ। ଥାମ୍ପିଙ୍କ ମୃତ୍ୟୁ ଖବର ସୋମବାର ଜଣାପଡ଼ିଥିଲା। ମାତ୍ର ଫୋର୍ଟ ପୋଲିସର କହିବା ଅନୁସାରେ ଥାମ୍ପିଙ୍କ ମୃତ୍ୟୁ ୩୬ ଘଣ୍ଟା ପୂର୍ବରୁ ହୋଇ ସାରିଥିଲା। ତାଙ୍କ ଘରୁ ଦୁର୍ଗନ୍ଧ ଆସୁଥିବା ପଡ଼ିଶା ପୋଲିସକୁ ଅଭିଯୋଗ କରିବାପରେ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହ ବ୍ୟବଚ୍ଛେଦର ପ୍ରାରମ୍ଭିକ ରିପୋର୍ଟ ଆସିବାପରେ ରହସ୍ୟ ଉପରୁ ପରଦା ହଟିଥିଲା। ମୁଣ୍ଡରେ ଜୋରରେ ଆଘାତ ହିଁ ଜୟମୋନଙ୍କ ମୃତ୍ୟୁର କାରଣ ବୋଲି ଜଣାପଡ଼ିଥିଲା। ବାପାଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ଅଶ୍ୱିନଙ୍କୁ ଗିରଫ କରିଥିଲା। ରିପୋର୍ଟ ଅନୁସାରେ ଅର୍ଥପାଇଁ କଳହ ହିଁ ଏହା ପଛର ମୁଖ୍ୟ କାରଣ ରହିଥିଲା।
”ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ନୁହେଁ ବରଂ କ୍ରୋଧର ବଶବର୍ତ୍ତୀ ହୋଇ ହଠାତ୍‌ ଏପରି ଘଟଣା ଘଟିଛି। ଉଭୟଙ୍କ ମଧ୍ୟରେ କଳି ସମୟରେ ଥାମ୍ପିଙ୍କ ନାକକୁ ଅଶ୍ୱିନ ଆଘାତ କରିଥିଲା। ଏଥିରେ ଥାମ୍ପି ଭାରସାମ୍ୟ ହରାଇ କାନ୍ଥରେ ପିଟି ହୋଇଯାଇଥିଲେ“ ବୋଲି ଫୋର୍ଟର ସହକାରୀ କମିଶନରଙ୍କ ସୂତ୍ରରୁ ପ୍ରକାଶ। ରିପୋର୍ଟ ଅନୁସାରେ ଅଶ୍ୱିନ ସେତେବେଳେ ମଦ ପିଇଥିଲେ ଏବଂ ଅର୍ଥ ପାଇଁ କଳି କରିଥିଲେ। ଅଶ୍ୱିନ ଏଟିଏମ କାର୍ଡ ମାଗିଥିଲେ ମାତ୍ର ଥାମ୍ପି ତାହାକୁ ଦେବାକୁ ରାଜି ନ ଥିଲେ। ନିଜ ଉପରେ ନିୟନ୍ତ୍ରଣ ନ ଥିବାରୁ ସମ୍ଭବତଃ ଘଟଣା ପରେ ଥାମ୍ପି ମରି ଯାଇଥିବା ଅଶ୍ୱିନ ଜାଣିପାରି ନ ଥିଲେ ବରଂ ସେ ଶୋଇ ପଡ଼ିଛନ୍ତି ବୋଲି ଭାବିଥିବା ପୋଲିସକୁ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ୧୯୮୨ରୁ ୮୪ ପର୍ଯ୍ୟନ୍ତ ଥାମ୍ପି କେରଳ ରଣଜୀ ଦଳର ଜଣେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଥିଲେ। ସେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଟ୍ରାଭାଙ୍କୋର(ଏସବିଟି) ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

Share