ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ

ପାରଳାଖେମୁଣ୍ଡି,୯ା୪(ସ୍ବ.ପ୍ର.): ଗଜପତି ଜିଲା ରାମଗିରି ନିର୍ବାଚନମଣ୍ଡଳୀ (୨୦୦୯ ପୂର୍ବର)ର ପୂର୍ବତନ ବିଧାୟକ ଭରତ ପାଇକ (୬୧)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ସେ କିଛିଦିନ ଧରି ଅସୁସ୍ଥ ଥିଲେ। ଆନ୍ଧ୍ରର ଶ୍ରୀକାକୁଲମ ଜିଲା ରେଗୁଲୁସ୍ଥିତ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିଲା। ମଙ୍ଗଳବାର ଘରକୁ ଫେରାଇ ଅଣାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ବୁଧବାର ଗଜପତି ଜିଲା ଗୁମ୍ମା ବ୍ଲକସ୍ଥିତ କୁଜାସିଂ ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ରାମଗିରି ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୯ରେ ବ୍ରହ୍ମପୁରରୁ ଭାଜପା ଲୋକସଭା ପ୍ରାର୍ଥୀ, ୨୦୧୪ରେ ମୋହନା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇ ସେ ନିର୍ବାଚନ ହାରିଥିଲେ। ୨୦୧୯ରେ ସେ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଥିବା ପାଇକ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ହୋଇଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିଲା। ଜିଲା ବିଜେଡି ସଭାପତି ପ୍ରଦୀପ ନାୟକ, ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ତାଙ୍କର ଶେଷ ଦର୍ଶନ କରି ଶୋକ ପ୍ରକାଶ କରିଛନ୍ତି। ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ପୂର୍ବତନ ନଗରପାଳ ପି. କ୍ରିଷ୍ଣା ମଧ୍ୟ ଶୋକବ୍ୟକ୍ତ କରିଛନ୍ତି।