ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ

କଟକ ଅଫିସ, ୨୪ା୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭବାନୀପାଟଣା ବିଧାନସଭା ଆସନର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ. ୩/୨୦୨୦) ରୁଜୁ କରାଯାଇଛି। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପକ୍ଷରୁ ଜାରି କରାଯାଇଥିବା ତଲାସି ୱାରେଣ୍ଟ ବଳରେ କୋରାପୁଟ ଭିଜିଲାନ୍ସ ଡିଭିଜନର ଅଧିକାରୀମାନେ ଗତ ୧୭ ତାରିଖରେ ନାଏକଙ୍କ ଘର ସମେତ ମୋଟ୍‌ ୪ଟି ସ୍ଥାନରେ ଏକକାଳୀନ ଯାଞ୍ଚ କରିଥିଲେ। ଯାଞ୍ଚରୁ ମୋଟ୍‌ ୩ କୋଟି ୪୨ ଲକ୍ଷ ୯୯ହଜାର ୪୦୨ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ଏତଦ୍‌ବ୍ୟତୀତ ତାଙ୍କ ଘରୁ ୮୦ହଜାର ଟଙ୍କାର ସୁନାଗହଣା, ୧୩ହଜାର ୬୮୦ ଟଙ୍କା, ୬ ଲକ୍ଷ ୨୧ହଜାର ୩୭୭ ଟଙ୍କାର ଗୃହ ଉପକରଣ ସାମଗ୍ରୀକୁ ମଧ୍ୟ ଭିଜିଲାନ୍ସ ଠାବ କରିଥିଲା। ତେବେ ସମ୍ପତ୍ତିଗୁଡ଼ିକ ଠାବ କରିବା ପରେ ଭିଜଲାନ୍ସ ଆୟ ବ୍ୟୟର ହିସାବ କରିଥିଲା। ଠାବ ସମ୍ପତ୍ତିଗୁଡ଼ିକ ମଧ୍ୟରୁ ୧ କୋଟି ୫୪ ଲକ୍ଷ ୧୨ହଜାର ୨୬୦ ଟଙ୍କା ଆୟ ବହିର୍ଭୂତ ଥିବା ଭିଜିଲାନ୍ସ କହିଛି। ଏହି ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ନାଏକ କୌଣସି ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇପାରି ନ ଥିଲେ।