Categories: ଗଞ୍ଜାମ

ପୂର୍ତ୍ତ ବିଭାଗ ଡାକବଙ୍ଗଳା କାନ୍ଥରେ ମାଓପୋଷ୍ଟର : ଜନସାଧାରଣ ଭୟଭୀତ

ବାଲିଗୁଡ଼ା,୨ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ସେମାନଙ୍କ ସ୍ଥିତି ଜାହିର କରି ବାରମ୍ବାର ନାନା ଧମକପୂର୍ଣ୍ଣ ପୋଷ୍ଟର ଲଗାଉଛନ୍ତି। ଫଳରେ ଜନସାଧାରଣ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏପରି ଏକ ପୋଷ୍ଟର ରବିବାର ସକାଳେ ବାଲିୁଗଡ଼ା ଥାନା ଠାରୁ ମାତ୍ର ୨୦୦ମିଟର ଦୂରରେ ଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳା କାନ୍ଥରେ ଲଗାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ବାଲିଗୁଡ଼ା ପୂର୍ତ୍ତ ବିଭାଗରେ ଏସ୍‌ଡିଓ ଭାବେ କାର୍ଯ୍ୟରତ ଭାସ୍କର ଚନ୍ଦ୍ର ସାମନ୍ତରାୟ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରି ୧୪ ବର୍ଷ ଧରି ବାଲିଗୁଡ଼ାରେ ରହିଆସୁଛନ୍ତି। ପ୍ରାୟ ୪ ମାସ ହେବ ତାଙ୍କର ବଦଳି ଅର୍ଡର ହୋଇଥିଲେ ମଧ୍ୟ କାହିଁକି ବାଲିଗୁଡ଼ା ଛାଡ଼ୁ ନାହାନ୍ତି ବୋଲି ଲେଖାଯାଇଛି। ହଡ଼ପ କରିଥିବା ୧୦ କୋଟି ଟଙ୍କାର ତଦନ୍ତ ଏବଂ ତୁରନ୍ତ ଏଠାରୁ ବଦଳି କରା ନ ଗଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ପୋଷ୍ଟର ଜରିଆରେ ଚେତାବନୀ ଦିଆଯାଇଛି। ପୋଷ୍ଟର ତଳକୁ କୁଟ୍ରାମାଝୀ, ସମ୍ପାଦକ ବଂଶଧାରା ଡିଭିଜନ, ଖମନଖୋଲ ବୋଲି ଲେଖାଯାଇଛି।