ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଗିରଫ ଘଟଣା:ପୁଣି ଥରେ ଜାମିନ ଖାରଜ

ବ୍ରହ୍ମପୁର ଅଫିସ,୩୧।୩ – ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଥିବା ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ (ଦକ୍ଷିଣାଞ୍ଚଳ ମଣ୍ଡଳ) ବିନୋଦ କୁମାର ପାଢୀ ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି। ଗତ ୪ ତାରିଖରେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ପରେ ତାଙ୍କ ଓକିଲ ବିନୋଦଙ୍କ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। କରୋନା ପାଇଁ ହାଇକୋର୍ଟ ବନ୍ଦ ରହିଛି। ଅନ୍ୟପଟେ ବିନୋଦଙ୍କ ଓକିଲ ମଙ୍ଗଳବାର ପୁଣିଥରେ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସୁବ୍ରତ ମହାନ୍ତିଙ୍କ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ବିନୋଦଙ୍କ ଅନ୍ତରୀଣ ଜାମିନ ଆବେଦନର ଭିଡ଼ିଓ କନ୍‌ଫରେନ୍ସି ଜରିଆରେ ଶୁଣାଣି କରି ବିଚାରପତି ଖାରଜ କରିଦେଇଛନ୍ତି ବୋଲି ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ଫଳରେ ବିନୋଦଙ୍କ ଜେଲରୁ ମୁକିଳିବା ଆଶା ମଉଳି ଯାଇଛି। ସେହିପରି ଘଟଣା ପରଠାରୁ ବିନୋଦଙ୍କ ସ୍ତ୍ରୀ ଫେରାର ଥିବା ଏସ୍‌ପି ସ୍ବାଇଁ କହିଛନ୍ତି।
ପ୍ରକାଶ ଯେ, ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ଘର ସମେତ ୧୨ଟି ସ୍ଥାନରେ ଗତ ୩ ଓ ୪ ତାରିଖରେ ଚଢାଉ କରାଯାଇଥିଲା। ଭିଜିଲାନ୍ସ ଟିମ୍‌ ଇଂ. ପାଢ଼ୀ ଓ ତାଙ୍କ ପରିବାରଙ୍କ ନାମରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୫ କୋଟି ୧୨ ଲକ୍ଷ ୯୭ ହଜାର ୯୬୩ ଟଙ୍କା ଆକଳନ କରିଥିଲା। ସେଥିମଧ୍ୟରୁ ୩ କୋଟି ୮୭ ଲକ୍ଷ ୪୬ ହଜାର ୯୮୯ ଟଙ୍କାର ହିସାବ ବିନୋଦ ପାଢ଼ୀ ଭିଜିଲାନ୍ସକୁ ଦେଇପାରି ନ ଥିଲେ। ଯାହା ଫଳରେ ଉକ୍ତ ଟଙ୍କା ବିନୋଦ ପାଢ଼ୀ ଙ୍କ ଆୟବର୍ହିଭୁତ ସମ୍ପତ୍ତି ବୋଲି ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଥିଲେ।