Categories: ଖେଳ

ପୂଜା, ବିକାଶଙ୍କୁ ଅଲିମ୍ପିକ ଯୋଗ୍ୟତା

ଅମ୍ମନ (ଜୋର୍ଡାନ), ୮।୩ (ପି.ଟି.)- ଦୁଇ ଭାରତୀୟ ବକ୍ସର ପୂଜାରାଣୀ (୭୫ କିଗ୍ରା) ଓ ବିକାଶ କ୍ରିଷ୍ଣନ (୬୯ କିଗ୍ରା) ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଚନ୍ତି। ଏଠାରେ ଚାଲିଥିବା ଏସିଆନ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ଉଭୟ ସେମିଫାଇନାଲରେ ପ୍ରବେଶ କରିବା ସହ ଏହି ସଫଳତା ପାଇଛନ୍ତି। ପ୍ରଥମ ସେଟ୍‌ ଭାରତୀୟ ବକ୍ସର ଭାବେ ପୂଜାରାଣୀ ଓ ବିକାଶ ଅଲିମ୍ପିକ୍ସ ଟିକେଟ୍‌ ଲାଭ କରିଛନ୍ତି।
ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ଏସିଆନ୍‌ ଚାମ୍ପିୟନ ପୂଜା ୫-୦ରେ ଥାଇଲାଣ୍ଡ ବକ୍ସର ପୋର୍ନିପା ଚୁଟ୍ଟେଙ୍କୁ ପରାସ୍ତ କରି ପ୍ରଥମଥର ଲାଗି କ୍ରୀଡ଼ାର ମହାକୁମ୍ଭକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିଭଳି ପୁରୁଷ ବିଭାଗ କ୍ୱାର୍ଟର ଫାଇନାଲରେ ବିକାଶ ଜଜ୍‌ଙ୍କ ସର୍ବସମ୍ମତି ନିଷ୍ପତ୍ତିକ୍ରମେ ଜାପାନର ସଓ୍ବେନରେଟ୍ସ ଓକାଜାଓ୍ବାଙ୍କୁ ହରାଇଛନ୍ତି। ଏଥିସହ ବିକାଶ କ୍ୟାରିୟରର ୩ୟ ଥର ଲାଗି ଅଲିମ୍ପିକ୍ସ ଖେଳିବାର ସୌଭାଗ୍ୟ ପାଇଛନ୍ତି। ତେବେ ପୁରୁଷ ବିଭାଗ ୮୧ କିଗ୍ରାର ଏକ କ୍ୱାର୍ଟର ଫାଇନାଲ ଲଢ଼େଇରେ ଭାରତର ସଚିନ କୁମାର ଜଜ୍‌ଙ୍କ ବିଭାଜିତ ନିଷ୍ପତ୍ତିକ୍ରମେ ଚାଇନାର ଡାକ୍ସିଙ୍ଗ୍‌ ଚେନ୍‌ଙ୍କଠାରୁ ପରାସ୍ତ ହୋଇଛନ୍ତି। ତେବେ ପରାଜିତ ହୋଇଥିଲେ ମଧ୍ୟ ସଚିନଙ୍କ ପାଖରେ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ ପାଇଁ ସୁଯୋଗ ରହିଛି।

Share