ପୂଜା ପାଇଁ ଝଲସୁଛି ଆଲୁମିନିୟମ ନଗରୀ

ବଅଁରପାଳ, ୧୭।୯ (ଉପେନ୍ଦ୍ର ରାଉତ)

ଅନୁଗୋଳ ଜିଲା ନାଲ୍‌କୋ ନଗରର ଗଣପର୍ବ ଭାବେ ପରିଚିତ ବିଶ୍ୱକର୍ମା ପୂଜା ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ କଲୋନିବାସୀଙ୍କ ସହ ସମଗ୍ର ନାଲ୍‌କୋ ନଗରରେ ଉତ୍ସାହ ଦେଖାଦେଇଛି। ଚଳିତ ବର୍ଷ ପ୍ରଭୁ ବିଶ୍ୱ ନିର୍ମାତାଙ୍କୁ ଆବାହନ ନିମନ୍ତେ ୨୩ଟି ମଣ୍ଡପ କରାଯାଇଛି। ପାରମ୍ପରିକ ବାଦ୍ୟ ବାଜଣା ସହକାରେ କଳସ ଯାତ୍ରା ପରେ ଠାକୁରଙ୍କ ପୂଜାର୍ଚ୍ଚନା କରାଯିବ।
ଚଳିତ ବର୍ଷ ପଟ୍‌ ଲାଇନ୍ସ, କାଷ୍ଟହାଉସ୍‌-ଏ, କାଷ୍ଟହାଉସ୍‌-ବି, ରୋଡିଂ ଶପ୍‌, ସିପିପି ମେକାନିକାଲ, ସିଏଚ୍‌ପି, ସେଣ୍ଟ୍ରାଲ ଷ୍ଟୋର, ସିଏଣ୍ଡଆଇ, ସିପିପି ଇଲେକ୍ଟ୍ରିକାଲ, ବ୍ୟାଙ୍କି ଫରନେସ୍‌, ରୋଡିଂଶପ୍‌-୨, ନାଲ୍‌କୋ ସିଭିଲ୍‌, ଟୁ-୨୦ କେଭି, ଠିକାଦାର ସଂଘ, ଟ୍ରକ୍‌ ମାଲିକ ସଂଘ ସମେତ ୨୩ଟି ମଣ୍ଡପକୁ ଆଲୋକମାଳାରେ ସାଜସଜ୍ଜା କରାଯାଇଛି। ରଙ୍ଗବେରଙ୍ଗ ତୋରଣରେ ସମଗ୍ର ଆଲୁମିନିୟମ୍‌ ନଗରୀ ନବବଧୂ ପରି ସଜେଇ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀମାନେ ସେମାନଙ୍କ ପସରା ପକାଇ ସାରିଲେଣି। ବିଶେଷକରି ପଲ୍ଲିଶ୍ରୀ ମେଳା, ବିଭିନ୍ନ ଦୋଳି, ମୀନା ବଜାର ପୂଜାର ଅନ୍ୟତମ ଆକର୍ଷଣ ହୋଇଥିବା ବେଳେ ଗୁପ୍‌ଚୁପ୍‌, ଦହିବରା, ଫାଷ୍ଟଫୁଡ୍‌ ଆଦି ଭଳିକି ଭଳି ଖାଦ୍ୟ ଦୋକାନ ବିଭିନ୍ନ ସ୍ଥାନରେ ଖୋଲି ସାରିଲାଣି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ସପ୍ତାହେ ବ୍ୟାପୀ ପୂଜା ଦେଖିବାକୁ ଅନୁଗୋଳ, ଢେଙ୍କାନାଳ ଜିଲା ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ। ଏହାକୁ ଲକ୍ଷ୍ୟ ରଖି ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ୨ ଜଣ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟର, ୧୪ଜଣ ସବ୍‌ଇନ୍ସପେକ୍ଟର, ୨୯ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଓ ୨୦ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ସେହିପରି ୪ଟି ଅସ୍ଥାୟୀ ଫାଣ୍ଡି ସହ ଗୋଟିଏ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଡିଏସ୍‌ପି ଅଶ୍ୱିନୀ ସାହୁ ଓ ନାଲ୍‌କୋ ଥାନା ଅଧିକାରୀ ଗୀତାଞ୍ଜଳି ସାହୁ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିଥିବା ସୂଚନା ମିଳିଛି।

ପରେ ନଜର ରଖିଥିବା ସୂଚନା ମିଳିଛି।