Categories: ଖେଳ

ପୂଜାରା, ଜାଡେଜାଙ୍କୁ ନାଡ଼ା ନୋଟିସ୍‌

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଚେତେଶ୍ୱର ପୂଜାରା, ରବୀନ୍ଦ୍ର ଜାଡ଼େଜା ଓ କେ.ଏଲ୍‌. ରାହୁଲଙ୍କ ସମେତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପରିସରଭୁକ୍ତ ୫ଜଣ ଭାରତୀୟ କ୍ରିକେଟରଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା) ତରଫରୁ ନୋଟିସ୍‌ ଜାରି କରାଯାଇଛି। ଖେଳାଳିମାନେ ସେମାନଙ୍କ ଠିକଣା (ହୋୟାରଆବାଉଟ୍ସ) ଜଣାଇ ନ ଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଏଣେ ‘ପାସ୍‌ଓ୍ବାର୍ଡ ଗ୍ଲିଚ୍‌’ ଯୋଗୁ ଖେଳାଳିମାନଙ୍କ ଠିକଣା ଅବଗତ କରାଇବାରେ ବିଳମ୍ବ ଘଟିଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ସଫେଇ ଦିଆଯାଇଛି। ନୋଟିସ୍‌ ପାଇଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ମହିଳା ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା। ନ୍ୟାଶନାଲ ରେଜିଷ୍ଟର୍ଡ ଟେଷ୍ଟିଂ ପୁଲ୍‌ (ଏନ୍‌ଆର୍‌ଟିପି) ତାଲିକାରେ ୧୧୦ଜଣଙ୍କ ନାମ ରହିଛି। ନାଡ଼ାର ମହାନିର୍ଦ୍ଦେଶକ ନବୀନ ଅଗରଓ୍ବାଲଙ୍କ କହିବା ଅନୁସାରେ ଆଡାମ୍ସ (ଆଣ୍ଟି ଡୋପିଂ ଆଡମିନିଷ୍ଟ୍ରେଶନ ଆଣ୍ଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍ସ) ସଫ୍ଟଓୟାରରେ ଫର୍ମ ପୂରଣ କରିବା ଲାଗି ଦୁଇଟି ମାଧ୍ୟମ ରହିଛି। ଖେଳାଳିମାନେ ନିଜେ କିମ୍ବା ସେମାନଙ୍କ ଆସୋସିଏଶନ ଜରିଆରେ ଫର୍ମ ପୂରଣ କରିପାରିବେ। କେତେଜଣ ଖେଳାଳି ଅଛନ୍ତି ଯେଉଁମାନେ ଇଣ୍ଟରନେଟ୍‌ ବ୍ୟବହାର ଜାଣନ୍ତି ନାହିଁ। ଫଳରେ ସେମାନଙ୍କ ପକ୍ଷେ ଆଡାମ୍ସରେ ହୋୟାରଆବାଉଟ୍ସ କ୍ଲଜ୍‌ ହ୍ୟାଣ୍ଡଲ କରିବା ସମ୍ଭବ ନୁହେଁ। ଏହି ଖେଳାଳିମାନେ ସେମାନଙ୍କ ଫେଡେରେଶନର ସହାୟତା ନେଇଥାନ୍ତି। କ୍ରିକେଟରେ ଅଧିକାଂଶ ହେଉଛନ୍ତି ଉଚ୍ଚଶିକ୍ଷିତ। ଏହାସତ୍ତ୍ୱେ ସେମାନଙ୍କ ମଧ୍ୟରୁ କେତେଜଣ ସେମାନଙ୍କ କ୍ରିକେଟ ବୋର୍ଡର ସହାୟତା ନେଉଛନ୍ତି। ହୁଏତ ଏଥିପାଇଁ ସେମାନଙ୍କ ନିକଟରେ ସମୟ ନାର୍ହି କିମ୍ବା ଫର୍ମ କିପର ପୂରଣ କରାଯିବ ତାହା ଜଣା ନାହିଁ। ବିସିସିଆଇ ନିଜ ଆଡୁ ସେମାନଙ୍କ ଦାୟିତ୍ୱ ନେଇଛି। ହେଲେ ଏଥର ବିସିସିଆଇ କାହିଁକି ୩ ମାସ ହେଲା ଖେଳାଳିମାନଙ୍କ ହୋୟାରଆବାଉଟ୍ସ ସମ୍ପର୍କରେ ଅବଗତ କରାଇ ନାହିଁ ତାହା ଏକ ପ୍ରଶ୍ନ ବୋଲି ଅଗରଓ୍ବାଲ କହିଛନ୍ତି।

Share