Categories: ଖେଳ

ପୂଜାରାଙ୍କୁ ବୋଲିଂ କରିବା କଷ୍ଟକର: କୁମିନ୍ସ

ମେଲବୋର୍ନ,୨୬।୪(ପି.ଟି.): ଭାରତୀୟ ଟେଷ୍ଟ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କୁ ବୋଲିଂ କରିବା କଷ୍ଟକର ବୋଲି ବିଶ୍ୱର ୧ ନମ୍ବର ଦ୍ରୁତ ବୋଲର ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସ କହିଛନ୍ତି। ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ପୂଜାରା ପ୍ରତିପକ୍ଷ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଥାନ୍ତି। ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିବା ପୂଜାରାଙ୍କ ବ୍ୟାଟିଂ ବେଶ୍‌ ଦମ୍‌ଦାର। ୨୦୧୮-୧୯ ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ସିରିଜ ବିଜୟରେ ତାଙ୍କର ବେଶ୍‌ ପ୍ରଭାବୀ ଭୂମିକା ରହିଥିଲା ଓ ପୂଜାରାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ବୋଲି କୁମିନ୍ସ କହିଛନ୍ତି। ବିଶ୍ୱରେ ଏକାଧିକ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ରହିଛନ୍ତି। କିନ୍ତୁ ପୂଜାରା ଆମକୁ ବହୁତ ଯନ୍ତ୍ରଣା ଦେଇଛନ୍ତି ବୋଲି ସେ କୁହନ୍ତି। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ପୂଜାରା ୭୪ ରନ ହାରରେ ୫୨୧ ରନ ସଂଗ୍ରହ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ସିରିଜରେ ସେ ୩ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ପୂଜାରାଙ୍କୁ ଆଉଟ୍‌ କରିବା ପାଇଁ ଅଷ୍ଟ୍ରେଲିଆ ବୋଲରଙ୍କୁ ବେଶ୍‌ କଷ୍ଟ କରିବାକୁ ପଡିଥିଲା। ଟେଷ୍ଟ କ୍ରିକେଟରେ ସେ ସବୁଠାରୁ କଠିନତମ ବ୍ୟାଟ୍ସମ୍ୟାନ ବୋଲି କୁମିନ୍ସ କୁହନ୍ତି। ଦମ୍‌ଦାର ପ୍ରଦର୍ଶନ କରି ପୂଜାରା ମ୍ୟାନ୍‌ ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।

Share