ପୂଜାପାଠ ଆଳରେ ମହିଳାଙ୍କୁ ମଶାଣିକୁ ନେଇ ଅସଦାଚରଣ: ଛେଚା ଖାଇ ଗିରଫ ହେଲେ ଭଣ୍ଡବାବା

ବାସୁଦେବପୁର, ୪।୧୧ (ଡି.ଏନ.ଏ.) – ଜଣେ ଭଣ୍ଡବାବା ଶନିବାର ନିଶାର୍ଦ୍ଧରେ ଜଣେ ନିଃସନ୍ତାନ ମହିଳାଙ୍କୁ ମଶାଣିକୁ ନେଇ ପୂଜାପାଠ କରିବା ଆଳରେ ତାଙ୍କୁ ଅସଦାଚରଣ କରିବା ଭଳି ଘଟଣା ପଦାକୁ ଆସିଛି। ଗ୍ରାମବାସୀ ଓ ମହିଳାଙ୍କ ପରିବାର ଲୋକେ ଭଣ୍ଡବାବାଙ୍କୁ ଧରି ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି। ଏଭଳି ଏକ ଘଟଣା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ସାମୁଦ୍ରିକ ଥାନା ଅଞ୍ଚଳରେ ଘଟିଛି। ଚୂଡ଼ାମଣି ଥାନା ପୋଲିସ ଏ ନେଇ ଏକ ମାମଲା(ନଂ.୫୧/୧୯) ରୁଜୁ କରି ଭଣ୍ଡବାବା ଭାନୁତାଲାଙ୍କୁ ଗିରଫ କରିଛି। ଲୋକଙ୍କ ମାଡ଼ରେ ସେ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ଆଇଆଇସି ମହମ୍ମଦ ହାଫିଜ୍‌ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗିରଫ ଭଣ୍ଡବାବା ଭାନୁତାଲାଙ୍କ ଘର ବାସୁଦେବପୁର ବ୍ଲକ କିଷ୍ମତକୃଷ୍ଣପୁର ଗ୍ରାମରେ। ପୂଜାପାଠ କଲେ ସନ୍ତାନ ଲାଭ ସମ୍ଭବ ବୋଲି କହି ସ୍ଥାନୀୟ ଅଞ୍ଚଳର ଏକ ନିଃସନ୍ତାନ ଦମ୍ପତିଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ। ତଦନୁଯାୟୀ ଶନିବାର ରାତିରେ ଗଁା ପାଖ ମଶାଣିରେ ପୂଜାପାଠ କରିବା ଲାଗି ଆୟୋଜନ କରାଯାଇଥିଲା। ଭଣ୍ଡବାବା ଉକ୍ତ ମହିଳାଙ୍କୁ ନେଇ ରାତିରେ ଶ୍ମଶାନକୁ ଯାଇ ପୂଜାପାଠ ଆରମ୍ଭ କରିଥିଲେ। ଏହି ସମୟରେ ସେଠାରେ ସେ ମହିଳାଙ୍କୁ ଅସଦାଚରଣ କରିଥିଲେ। ମହିଳା ଜଣଙ୍କ ଏହାକୁ ବିରୋଧ କରି ପାଟିତୁଣ୍ଡ କରିବାରୁ ଗ୍ରାମବାସୀ ପହଞ୍ଚି ଭଣ୍ଡବାବାଙ୍କୁ କାବୁକରି ନିର୍ଧୂମ ଛେଚିଥିଲେ। ପରେ ସେମାନେ ପୋଲିସକୁ ଡାକି ଭଣ୍ଡବାବାଙ୍କୁ ଜିମା ଦେଇଥିଲେ। ପୂଜାପାଠ ମାଧ୍ୟମରେ ଏଭଳି ଅନ୍ଧବିଶ୍ୱାସ ସୃଷ୍ଟି କରାଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏ ଦିଗରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।