Categories: ଜାତୀୟ

ପୁଲ୍‌ଓ୍ବାମା ଆକ୍ରମଣ: ବାପ-ଝିଅ ଗିରଫ

ଶ୍ରୀନଗର,୪ା୩(ପି.ଟି.): ଗତବର୍ଷ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମଙ୍ଗଳବାର ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ଏହି ଆକ୍ରମଣ ଷଡ଼ଯନ୍ତ୍ର ସହ ସେମାନେ ଜଡ଼ିତ ଥିଲେ ବୋଲି ଏନ୍‌ଆଇଏ ଜାଣିବାକୁ ପାଇଛି। ପୁଲ୍‌ଓ୍ବାମା ଜିଲାର ହକ୍‌ରିପୋରା ବାସିନ୍ଦା ତାରିକ୍‌ ଅହମଦ ଶାହ ଓ ତାଙ୍କ ଝିଅ ଇନ୍‌ଶା ଜାନ୍‌ଙ୍କ ଘରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଆଦିଲ ଅହମଦ ଦର ଏକ ଭିଡିଓ ଶୁଟିଂ କରିଥିଲା। ଆକ୍ରମଣ ପରେ ପାକିସ୍ତାନରେ ଉକ୍ତ ଭିଡିଓ ପ୍ରସାରଣ କରାଯାଇଥିଲା। ଟ୍ରକ୍‌ ଡ୍ରାଇଭର ଥିବା ଶାହଙ୍କ ଘରେ ଆଦିଲଙ୍କ ସମେତ ପାକିସ୍ତାନୀ ଆତଙ୍କବାଦୀ ତଥା ଆଇଇଡି ପ୍ରସ୍ତୁତକାରୀ ମହମ୍ମଦ ଉମର ଫାରୁକ୍‌, କାମରନ, ପୁଲ୍‌ଓ୍ବାମାର ଜେଇଏମ୍‌ ଆତଙ୍କବାଦୀ ସମୀର ଅହମଦ ଦର୍‌ ଏବଂ ଇସ୍‌ମାଇଲ ଓରଫ ଇବ୍ରାହିମ ଓରଫ ଆଦନାନ ରହୁଥିଲେ। ସେମାନେ ସେଠାରେ ଆତ୍ମଘାତୀ ଆକ୍ରମଣର ଯୋଜନା ପ୍ରସ୍ତୁତ କରିବା ସହ ଏହାର ଭିଡିଓ ପ୍ରସ୍ତୁତ କରିଥିଲେ ବୋଲି ଏନ୍‌ଆଇଏ ମୁଖପାତ୍ର କହିଛନ୍ତି। ଆତଙ୍କବାଦୀମାନେ ଶାହଙ୍କ ଘରେ ୨୦୧୮-୧୯ ମଧ୍ୟରେ ଏକାଧିକ ଥର ରହିଥିଲେ। ଶାହଙ୍କ ଝିଅ ଇନ୍‌ଶା ସେମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେଉଥିଲେ। ଇନ୍‌ଶା ଆତଙ୍କବାଦୀ ମହମ୍ମଦ ଉମର ଫାରୁକଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି।

Share