Categories: ଜାତୀୟ

ପୁଲ୍‌ଓ୍ବାମା ଆକ୍ରମଣ: ଜଣେ ଗିରଫ

ପୁଲ୍‌ଓ୍ବାମା,୨୯ା୨(ପି.ଟି.):ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଶୁକ୍ରବାର ପ୍ରଥମ ବଡ଼ ସଫଳତା ମିଳିଛି। ଗତବର୍ଷ ଫେବୃୟାରୀ ୧୪ରେ ହୋଇଥିବା ଏହି ଆତ୍ମଘାତୀ ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହି ମାମଲାରେ ଜୈଶ-ଇ-ମହମ୍ମଦ (ଜେଇଏମ୍‌)ର ଜଣେ ସମର୍ଥକ (ଓଭରଗ୍ରାଉଣ୍ଡ ଓ୍ବାର୍କର)ଙ୍କୁ ଗିରଫ କରାଯାଇଛି। ଶାକିର ବଶିର ମାଗ୍ରେ ନାମକ ଏହି ଅଭିଯୁକ୍ତଙ୍କ ଘର ପୁଲ୍‌ଓ୍ବାମା ଜିଲାର କାକପୋରା ଅନ୍ତର୍ଗତ ହାଜିବାଲରେ। ସେ ଆତ୍ମଘାତୀ ଆଦିଲ ଅହମଦ ଦର୍‌ଙ୍କୁ ଆଶ୍ରୟ ଦେବା ସହ ଅନ୍ୟାନ୍ୟ ସହାୟତା ଯୋଗାଇଦେଇଥିଲେ। ୨୦୧୮ ମଧ୍ୟଭାଗରେ ଶାକିରଙ୍କର ଆଦିଲଙ୍କ ସହ ପରିଚୟ ହୋଇଥିଲା। ପୁଲ୍‌ଓ୍ବାମା ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ସମେତ ଅନ୍ୟମାନଙ୍କୁ ସେ ବିଭିନ୍ନ ସମୟରେ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଟଙ୍କା ଓ ବିସ୍ଫୋରକ ସାମଗ୍ରୀ ଯୋଗାଇଦେଉଥିଲେ ବୋଲି ଜେରା ବେଳେ ସ୍ବୀକାର କରିଛନ୍ତି। ସେ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଉମର ଫାରୁକ୍‌ଙ୍କୁ ମଧ୍ୟ ନିଜ ଘରେ ଆଶ୍ରୟ ଦେବା ସହ ଆଇଇଡି ପ୍ରସ୍ତୁତିରେ ସହାୟତା କରିଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସିଆର୍‌ପିଏଫ୍‌ ଗାଡ଼ି ଚଳାଚଳ ଉପରେ ନଜର ରଖି ଏ ସମ୍ପର୍କରେ ଉମର ଓ ଆଦିଲଙ୍କୁ ସୂଚନା ଦେଉଥିଲେ। ବିସ୍ଫୋରଣ ପୂର୍ବରୁ ମାରୁତି ଇକୋ କାର୍‌ରେ ଆଇଇଡି ଖଞ୍ଜିବାରେ ମଧ୍ୟ ସେ ସହାୟତା କରିଥିଲେ ବୋଲି ଜେରା ବେଳେ କହିଛନ୍ତି।

Share