Categories: ଜାତୀୟ

ପୁଲଓ୍ବାମାରେ ପୁଣି ଆଇଇଡି ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୬।୭: ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରିଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପୁଲଓ୍ବାମାରେ ଆଇଇଡି ବିସ୍ଫୋରଣ ତଥା ସ୍ନାଇପରଙ୍କ ସହାୟତାରେ ଆକ୍ରମଣ କରାଯିବା ଲାଗି ଯୋଜନା କରାଯାଇଥିବା ରିପୋର୍ଟରେ କୁହାଯାଇଛି। ଜୁଲାଇ ୮ରେ ଆତଙ୍କବାଦୀ ବୁରହାନ୍‌ ଓ୍ବାନୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଆତଙ୍କବାଦୀ ସଂଗଠନ ପ୍ରତିଶୋଧ ନେବାର ଷଡ଼ଯନ୍ତ୍ର ରଚିଥିବା କୁହାଯାଉଛି। ଏଥିପାଇଁ ପାକିସ୍ତାନରୁ ଲୁଚିଛପି ଭାରତ ଆସିଥିବା ୬ରୁ ୮ ଆତଙ୍କବାଦୀ ଦଳ ଏଭଳି ଯୋଜନା କରିଛନ୍ତି। କଶ୍ମୀରରେ ସେମାନେ ନିଜ ନାମ ପରିବର୍ତ୍ତନ କରି ଲୁଚି ରହୁଥିବା ଗୋଇନ୍ଦା ବିଭାଗ କହିଛି। ଦଳରେ ଜଣେ ସ୍ନାଇପର ଏକ୍ସପର୍ଟ ରହିଥିବା କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୬ରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆତଙ୍କବାଦୀ ବୁରହାନ୍‌ ଓ୍ବାନୀଙ୍କ ମୃତ୍ୟୁ ଘଟିଥିଲା।

Share