ପୁରୁଷ ଓ ରୋଷେଇ

ରୁଦ୍ର ପ୍ରସନ୍ନ ରଥ
କିଛିଦିନ ତଳେ ଟ୍ବିନ୍‌ ସିଟି କମିଶନରେଟ ପୋଲିସ୍‌ର ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ରୋଷେଇ କରିବାକୁ ନେଇ ଗୋଟିଏ ଛୋଟିଆ ମନ୍ତବ୍ୟ ଦେଇଥିଲେ। କମିଶନରେଟ ପୋଲିସ୍‌ର ୧୨ଶ ପ୍ରତିଷ୍ଠା ଦିବସରେ ସେ ଯୋଗଦେଇ କହିଥିଲେ ଯେ ଯଦି ଜଣେ ପୁଅପିଲା ରୋଷେଇ କରିବାକୁ ଇଚ୍ଛା ପ୍ରକାଶ କରୁନାହିଁ, ତେବେ ସେଭଳି ପୁରୁଷଙ୍କୁ ମହିଳାମାନେ ବିବାହ କରିବାକୁ ମନା କରିଦେବା ଆବଶ୍ୟକ। ପୋଲିସ୍‌ କମିଶନରଙ୍କ ଏହି ଉକ୍ତିକୁ ନେଇ ସାମାଜିକ ଗଣମାଧ୍ୟମରେ ହୋହଲ୍ଲା ଆରମ୍ଭ ହୋଇଯାଇଥିବା ବେଳେ ସରକାରୀ ଦଳର ମୁଖପାତ୍ର ମଧ୍ୟ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲେ। ବେଶ୍‌ ସାଧାରଣ ଲାଗୁଥିବା ଏହି ଉପଦେଶକୁ ନେଇ ଏତେ ହୋହଲ୍ଲା କାହିଁକି? ମହିଳାମାନଙ୍କ ଜୀବନରେ ରୋଷେଇ କି ପ୍ରଭାବ ପକାଏ ଏବଂ କାହିଁକି ପୁରୁଷମାନେ ଏଥିରେ ସହଯୋଗ କରିବା ଦରକାର ତାହା ଆମେ ସମସ୍ତେ ଜାଣିବା ଉଚିତ ନୁହେଁ କି?
ଭାରତୀୟ ପାରିବାରିକ ବ୍ୟବସ୍ଥାରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବୁଝାମଣା ଏମିତି ଯେ ରୋଷେଇ କରିବାର କାମଟା ମହିଳାମାନଙ୍କ ଉପରେ ନ୍ୟସ୍ତ। ଜର୍ମାନୀସ୍ଥିତ ଏକ ମାର୍କେଟ ରିସର୍ଚ୍ଚ ସଂସ୍ଥା ଜିଏଫ୍‌କେର ସର୍ଭେ ଅନୁଯାୟୀ ଭାରତୀୟମାନେ ସପ୍ତାହକୁ ୧୩ ଘଣ୍ଟାରୁ ଅଧିକ ସମୟ ରୋଷେଇଘରେ କାଟନ୍ତି। ବର୍ତ୍ତମାନ ରୋଷେଇ ଘରେ ଗ୍ରାଇଣ୍ଡର, ଗ୍ୟାସ୍‌, ପ୍ରେସର କୁକର ଆଦି ଥିବାରୁ ଏହି ସମୟ ହ୍ରାସ ପାଇପାରିିଛି। ମାତ୍ର ଗାଁଗହଳିରେ ଏବେ ବି ସକାଳ ପହରରୁ ଚୁଲି ଲାଗିଲେ ମଧ୍ୟ ରାତିଯାଏ ରୋଷେଇ ଚାଲିଥାଏ। ଥରକୁ ଥର ମହିଳାଜଣକ ରୋଷେଇ ଘରେ ପଶି ଜଣ ଜଣଙ୍କ ପାଇଁ ରୋଷେଇ କରି ଚାଲିଥାଏ। ଭାରତୀୟମାନେ ସାଧାରଣତଃ ଖାଦ୍ୟପ୍ରିୟ ହୋଇଥିବାରୁ ଛଅ ତିଅଣ ନ ଭଜା ଖାଇବାର ଲୋଭ ସମ୍ବରଣ କରିପାରି ନ ଥାନ୍ତି। ଏଣୁ ଏହାର ପ୍ରଭାବ ଘରର ମହିଳାଙ୍କ ଉପରେ ପଡିଥାଏ। ପରିବା କାଟିବା, ବେସର ବାଟିବା, ରୋଷେଇ କରିବା, ବାସନ ଧୋଇବା କାମରେ ମହିଳାଜଣକ ଏପରି ବ୍ୟସ୍ତ ଥାଏ ଯେ, ସେ ଅନ୍ୟ କାମ କରିବା କିମ୍ବା ନିଜ ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡେ। ଆଉ ଏ ରୋଷେଇ କରିବାର ଚାପ ଏତେ ଅଧିକ ଯେ, ଜଣେ ସକାଳେ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ମଧ୍ୟାହ୍ନଭୋଜନ ପାଇଁ କ’ଣ ରନ୍ଧା ହେବ ସେ ନେଇ ଚିନ୍ତା କରୁଥାଏ କିମ୍ବା ଏ ନେଇ ଘରେ ସ୍ବାମୀ, ଶ୍ୱଶୁର କିମ୍ବା ପିଲାଙ୍କଠାରୁ ବରାଦ ପାଇ ସାରିଥାଏ। ରୋଷେଇ ଘରୁ ବାହାରି ଆସିବାକୁ ଜଣେ ମହିଳା ଚେଷ୍ଟା ମଧ୍ୟ କରିପାରେ ନାହିଁ। ଆମ ପରମ୍ପରାରେ ରୋଷେଇକୁ ମହିଳାଙ୍କ ବ୍ୟକ୍ତିତ୍ୱ ସହ ବି ଜଡାଇ ଧରି ରଖିବାର ଚେଷ୍ଟା କରାଯାଇଛି। ଯେମିତି ନୂଆ କରି ବାହା ହୋଇ ଆସିଥିବା ବୋହୂ ଜଣଙ୍କର ବ୍ୟକ୍ତିତ୍ୱକୁ ରୋଷେଇରୁ ହିଁ ପରଖାଯାଏ। ନୂଆ ବୋହୂମାନଙ୍କର ଦକ୍ଷତା ସେମାନଙ୍କର ରାନ୍ଧିବା କଳାରୁ ହିଁ ମପାଯାଏ।
ଅବଶ୍ୟ ଏମିତି ନୁହେଁ ଯେ ପୁରୁଷମାନେ ରୋଷେଇ କରିବା କଳା ଜାଣି ନାହାନ୍ତି। ହଷ୍ଟେଲରେ ରହି ପାଠ ପଢିଥିବା କିମ୍ବା ବାହାରେ ଏକୁଟିଆ ରହୁଥିବା ପୁରୁଷମାନେ ଅଳ୍ପେ ବହୁତେ ରୋଷେଇ କରି ଜାଣନ୍ତି। ଏବେ ବି ବଡ ବଡ ହୋଟେଲର ରାନ୍ଧୁଣିଆ ବା ସେଫ୍‌ମାନଙ୍କ ମଧ୍ୟରେ ସମସ୍ତେ ପୁରୁଷ। ବାହାପୁଆଣିରେ ରାନ୍ଧୁଥିବା ଲୋକମାନେ ବି ପୁରୁଷ। କହିବା କଥା ହେଉଛି, ଯେଉଁଠି ରୋଷେଇର ଆର୍ଥିକ ଦିଗ ଅଛି ସେଠାରେ ପୁରୁଷର ଆଧିପତ୍ୟ ରହିଛି, ମାତ୍ର ଯେଉଁଠି ରୋଷେଇ କେବଳ ଅନ୍ୟକୁ ରାନ୍ଧି ଖୁଆଇବା ପାଇଁ ଉଦ୍ଦିଷ୍ଟ ସେଠି ପୁରୁଷ ରୋଷେଇଘରେ ପଶିବାକୁ ନାରାଜ। ଏହା ଭିତରେ ଯୁଗ ବଦଳିଯାଇଛି। ଅନେକ କ୍ଷେତ୍ରରେ ସ୍ତ୍ରୀଲୋକମାନେ ବି ପୁରୁଷଙ୍କ ପରି ପାଠଶାଠ ପଢି ରୋଜଗାର କରିବାକୁ ଆଗେଇ ଆସିଛନ୍ତି। ମହିଳାଜଣକ ବି ରୋଷେଇର ଝିନ୍‌ଝଟରୁ ମୁକ୍ତ ହୋଇ ନିଜର କ୍ୟାରିୟର ଗଢୁଛି। ମାତ୍ର ଏଥିରେ ରୋଷେଇ ଘର ହିଁ ବାଧକ ସାଜୁଛି। ବାହାରକୁ ଯିବା ପୂର୍ବରୁ ରୋଷେଇ ସାରିବାକୁ ତରତର ହେବାକୁ ପଡୁଛି ନ ହେଲେ ଘରକୁ ଫେରି ଥକା ଶରୀରରେ ରୋଷେଇ ଘରେ ବାଧ୍ୟହୋଇ ପଶିବାକୁ ପଡୁଛି। ସତରେ କ’ଣ ମହିଳା ଜଣକ ନିଜ ସୁଖସୁବିଧା ଆଉ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବାକୁ ରୋଷେଇଘରୁ ବାହାରକୁ ବାହାରିପାରିବ ନାହିଁ? ସେ କ’ଣ ସବୁବେଳେ ଏମିତି ରୋଷେଇଘରେ ମାଡିଜାକି ହୋଇ ବସିଥିବ?
ବୋଧହୁଏ ଉପାୟ ଅଛି। କମିଶନରଙ୍କ କହିବା କଥା ଅନୁଯାୟୀ ପୁରୁଷମାନଙ୍କୁ ହିଁ ଏ ଦିଗରେ ପ୍ରଧାନ ଭୂମିକା ଗ୍ରହଣ କରିବାକୁ ପଡିବ। ରୋଷେଇ ପରି ଏକ ସମୟସାପେକ୍ଷ କାମରେ ଯଦି ପୁରୁଷ ମହିଳାକୁ ସହଯୋଗର ହାତ ବଢାଇଲା ତେବେ ଏହା ମହିଳାଙ୍କର ଅନେକ ସମୟ ବଞ୍ଚାଇପାରିବ। ନିଜେ ରାନ୍ଧି ନ ଶିଖିଲେ ବି ପୁରୁଷ ଜଣକ ମହିଳାମାନଙ୍କୁ ପରିବା କାଟିବା, ବେସର ବାଟିବା ଏପରି କି ନିଜର ବାସନ ଧୋଇବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାମରେ ସାହାଯ୍ୟ କରିପାରିବେ। ପୁଣି କେବେ କେମିତି ଆବଶ୍ୟକତା ପଡିଲେ ନିଜେ ବି ଛୋଟକାଟର ଆଇଟମ ଶିଖି ରାନ୍ଧିପାରିବେ। ଏପରି କଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଏଥିପାଇଁ ପୁରୁଷମାନଙ୍କୁ ପ୍ରଥମେ ରୋଷେଇ ଏକ ଗୁରୁତ୍ୱହୀନ ମାମୁଲି କାମ ବୋଲି ନିଜେ ତିଆରି କରିଥିବା ଧାରଣାରୁ ମୁକ୍ତ ହେବାକୁ ପଡିବ। ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଲିଙ୍ଗଗତ ବୈଷମ୍ୟ ଆଣୁଥିବା ରୋଷେଇ ପରି ଏକ ବିଷୟବସ୍ତୁକୁ ସାଧାରଣରେ ଆଲୋଚନାର ବଳୟକୁ ଆଣିଥିବାରୁ କମିଶନର ସାହେବ ସତରେ ଧନ୍ୟବାଦର ପାତ୍ର।
ଧବଳଗିରି, ଯାଜପୁର ରୋଡ, ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri