ପୁରୁଣା ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି

ଭୁବନେଶ୍ୱର, ୯ା୧୨(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ପ୍ଲାଟିନମ୍‌ ଜୁବିଲିର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ତାଙ୍କର ପୁରୁଣା ବନ୍ଧୁ ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ବୀରଭଦ୍ର ସିଂଙ୍କୁ ଭେଟିଥିଲେ। ଦୀର୍ଘ ୧୨ ବର୍ଷ ପରେ ଦୁଇ ବନ୍ଧୁଙ୍କ ସାକ୍ଷାତ୍‌ ହୋଇଥିଲା। ପ୍ଲାଟିନମ୍‌ ଜୁବିଲି ସମାରୋହର ସଭା ସ୍ଥଳରେ ରାଷ୍ଟ୍ରପତି ବନ୍ଧୁ ବୀରଭଦ୍ରଙ୍କୁ ଡାକି ସାକ୍ଷାତ୍‌ କରିଥିଲେ। ଏହାସହ ରାଷ୍ଟ୍ରପତି ଭବନ ଆସିବା ଲାଗି ବୀରଭଦ୍ରଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ଫଟୋ ମଧ୍ୟ ଉଠାଇଥିଲେ। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ଭବନକୁ ନିଶ୍ଚୟ ଯିବି ବୋଲି ବୀରଭଦ୍ର କହିଛନ୍ତି।
ସୂଚନାଯୋଗ୍ୟ, ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ କୋବି ଏବଂ ବୀରଭଦ୍ର ସିଂ ରାଜ୍ୟ ସଭାରେ ସଦସ୍ୟ ଥିଲେ। ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିହାରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୭ରୁ ସେ ଦେଶର ରାଷ୍ଟ୍ରପତିଭାବେ ଦାୟିତ୍ୱ ତୁଲାଉଛନ୍ତି। ବୀରଭଦ୍ର ସିଂ ୧୯୬୫ରୁ ୧୯୬୭ ଯାଏ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଆଜି ପୁରାତନ ଛାତ୍ର ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।