ପୁରୀ ସହରର ୩ ପରିବା ମାର୍କେଟ ବନ୍ଦ

ପୁରୀ ଅଫିସ,୫।୪: ପୁରୀ ସହରର ୩ଟି ଯାକ ପରିବା ମାର୍କେଟ ବନ୍ଦ କରିଦେଲା ଜିଲା ପ୍ରଶାସନ। କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ଲାଗି ପ୍ରଶାସନ ବାରମ୍ବାର ଜନସାଧାରଣଙ୍କୁ ସଚେତନ କରିଥିଲା। ବିଶେଷକରି ସହରର ତିନୋଟି ପରିବା ମାର୍କେଟକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବ୍ୟବସାୟୀ ଓ ଗ୍ରାହକ କିପରି ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ପ୍ରତ୍ୟେକ ଦୋକାନ ସମ୍ମୁଖରେ ଧଳା ବୃତ୍ତ କରାଯାଇଥିଲା। କିନ୍ତୁ ଅନେକ ସମୟରେ ଗହଳି ହେଉଥିବା ଫଳରେ ପ୍ରଶାସନ ବଡ଼ଶଙ୍ଖ, ମାର୍କେଟ ଛକ ଏବଂ ଲକ୍ଷ୍ମୀ ବଜାର ପରିବା ମାର୍କେଟକୁ ବୁଧବାର ପୂର୍ବାହ୍ନରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବନ୍ଦ କରିଦେଇଛି। ଏହି ସମୟରେ ପରିବା ବ୍ୟବସାୟୀ ଠେଲା ଗାଡ଼ିରେ ସାହି ଗଳିରେ ପରିବା ବିକ୍ରି କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।