ବାଲିଅନ୍ତା କେନାଲରେ ବୁଡ଼ି ମହିଳା ମୃତ, ହୋଲିରେ ମଦ ପିଇଥିବା ଯୋଗୁ ଅଘଟଣ ଘଟିଥିବା ନେଇ ଚର୍ଚ୍ଚା

ବାଲିଅନ୍ତା/ପୁରୁଣା ଭୁବନେଶ୍ୱର,୧୦।୩(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ ରଙ୍ଗବଜାର ନିକଟରେ ପ୍ରବାହିତ ପୁରୀ ମୁଖ୍ୟ କେନାଲରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରୀନା ଗୋଚ୍ଛାୟତ(୪୨)। ମହିଳାଙ୍କ ପ୍ରକୃତ ଘର ତାଳଚେରର କଣିହାଁ ଅଞ୍ଚଳରେ। ସେ ଏଠାରେ ନିର୍ମାଣାଧୀନ ଏକ ଆପାର୍ଟମେଣ୍ଟରେ ଶ୍ରମିକ ଭାବେ କାମ କରୁଥିଲେ। ମଙ୍ଗଳବାର ହୋଲି ଖେଳ ସାରି ସେ କେନାଲକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ କେନାଲ ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଭୁବନେଶ୍ୱର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମହିଳାଜଣଙ୍କ ମଦ ପିଇଥିବା ଯୋଗୁ ବୁଡ଼ି ଯାଇଥିବା ନେଇ ଚର୍ଚ୍ଚା ହେଉଛି।