ପୁରୀ ଜିଲା: ଭୋଟରଙ୍କ ପସନ୍ଦଯୋଗ୍ୟ ନ ଥିଲେ ପ୍ରାର୍ଥୀ, ନୋଟାକୁ ଯାଇଛି ୪,୯୮୩ ଭୋଟ

ପୁରୀ ଅଫିସ, ୨୬ା୫: ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକଙ୍କ ଭୋଟ ଦେବାର ଅଧିକାର ରହିଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଯଦି ଭୋଟରଙ୍କ ପସନ୍ଦଯୋଗ୍ୟ ନୁହନ୍ତି ତାହେଲେ ତାଙ୍କ ପାଇଁ ନୋଟା (ନନ୍‌ ଅଫ୍‌ ଦ ଏବଭ)ବଟନ ଅପ୍‌ସନ ରଖିଛନ୍ତି ଭାରତର ନିର୍ବାଚନ କମିଶନ । ଏହି ବଟନ ଇଭିଏମ୍‌ର ସବା ତଳେ ରହିଥାଏ। ଏଥର ପୁରୀ ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପସନ୍ଦର ପ୍ରାର୍ଥୀ ନ ଥିବାରୁ ନୋଟାକୁ ଯାଇଛି ୪,୯୮୩ ଭୋଟ। ଏଥିରେ ପୁରୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧,୨୮୧ ଭୋଟର ନୋଟା ଓ ସତ୍ୟବାଦୀରେ ସର୍ବନିମ୍ନ ୬୫୫ ମତଦାତା ନୋଟା ବଟନ ବ୍ୟବହାର କରିଛନ୍ତି। ସୂଚନା ଅନୁଯାୟୀ, ଜିଲାର ୬ଟି ନିର୍ବାଚନମଣ୍ଡଳୀ (ପୁରୀ, ପିପିଲି, ସତ୍ୟବାଦୀ, କାକଟପୁର, ନିମାପଡ଼ା ଏବଂ ବ୍ରହ୍ମଗିରି)ରେ ଏଥର ମୋଟ ୧୦,୨୩,୦୩୯ ଜଣ ଭୋଟର ମତଦାନ କରିଛନ୍ତି। ଏଥିମଧ୍ୟରେ ୪,୯୮୩ ଭୋଟ ନୋଟାକୁ ଯାଇଛି। ପୁରୀ ନିର୍ବାଚନମଣ୍ଡଳୀରୁ ସର୍ବାଧିକ ୧,୨୮୧ଭୋଟ୍‌ ନୋଟାକୁ ଯାଇଛି। ଏଥିରେ ଇଭିଏମ୍‌ ଭୋଟ ୧୨୭୫ ଏବଂ ୬ଟି ପୋଷ୍ଟାଲ ଭୋଟ ରହିଛି। ସେହିପରି କାକଟପୁରରେ ୭୩୬ (ଇଭିଏମ୍‌ ୭୩୪ ଓ ପୋଷ୍ଟାଲ ଭୋଟ ୨), ନିମାପଡ଼ା ୬୮୪ (ଇଭିଏମ୍‌ ୬୮୩ ଓ ପୋଷ୍ଟାଲ ଭୋଟ ୧), ବ୍ରହ୍ମଗିରି ୭୬୦ (ଇଭିଏମ୍‌ ୭୫୭ ଓ ପୋଷ୍ଟାଲ ଭୋଟ ୩), ସତ୍ୟବାଦୀ ୬୫୫ (ଇଭିଏମ୍‌ ୬୫୪ ଓ ପୋଷ୍ଟାଲ ଭୋଟ ୧), ପିପିଲି ୮୬୭ (ଇଭିଏମ୍‌ ୮୬୫ ଓ ପୋଷ୍ଟାଲ ଭୋଟ ୨) ରହିଛି।