ପୁରୀ ଜିଲାରେ ପ୍ରଥମ କରୋନା ଚିହ୍ନଟ : ଦାନଗହିର ୧୧ ଦିନ ସଟ୍ ଡାଉନ

ପୁରୀ ଅଫିସ,୪-୪_ପୁରୀ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପିପିଲି ବ୍ଲକ ଦାନଗହିର ଗ୍ରାମର ଜଣେ ବ୍ୟକ୍ତି ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ୧୨ ଦିନ ସଟ୍ ଡାଉନ ଘୋଷଣା କରାଯାଇଛି। ୪ ତାରିଖ ସକାଳ ୭ଟାରୁ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଦାନଗହିର ଛକ, ଜୟପୁର ଛକ ଓ ଜୟପୁର ଶାସନ ଛକ ଅଞ୍ଚଳକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏହି ସବୁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ (ଆବଦ୍ଧ ଅଞ୍ଚଳ) ମଧ୍ୟ ଘୋଷଣା କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରିଦିଆଯାଇଛି। ଆବଦ୍ଧ ଅଞ୍ଚଳ ମଧ୍ୟକୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ସମ୍ପୃକ୍ତ ଅଞ୍ଚଳରୁ କେହି ଘରୁ ବାହାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସଟ୍ ଡାଉନ ସମୟରେ
ଅତ୍ୟାବଶ୍ୟକ ସାମଗ୍ରୀ, ଚିକିତ୍ସା ବ୍ୟବସ୍ଥା, ଔଷଧ ଯୋଗାଣ ପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକାଧିକ ଟିମ୍ ଗଠନ କରାଯାଇଛି।
ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲାବାସୀ ଭୟଭୀତ ହୋଇପଡିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମ ସଭାରେ ଯୋଗଦେଇ ଫେରିଥିଲେ। ତେବେ ଶୁକ୍ରବାର ରାତିରେ ଏହା ଜଣାପଡିବା ପରେ ଆକ୍ରାନ୍ତଙ୍କ ଘର କେଉଁ ଅଞ୍ଚଳରେ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବଢିଥିଲା। ସକାଳୁ ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଦାନଗହିର ଗଁ।କୁ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳରେ ସୋଡିୟମ ହାଇପୋକ୍ଲୋରାଇଡ କେମିକାଲ ସ୍ପ୍ରେ କରିଛନ୍ତି। ଏଥିସହ ଜିଲାପାଳ ଓ ଏସପିଙ୍କ କାର୍ଯାଳୟ ଏବଂ ପୌରସଂସ୍ଥା କାର୍ଯାଳୟକୁ ମଧ୍ୟ ସାନିଟାଇଜ କରାଯାଇଛି। ଅନ୍ୟପକ୍ଷରେ କରୋନାକୁ ନେଇ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ ବୋଲି ଜିଲାପାଳ ବଲଓ୍ବନ୍ତ ସିଂ କହିଛନ୍ତି।