ପୁରୀ: କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ପୁରୀ ଅଫିସ,୧୫ା୪: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ମଙ୍ଗଳବାରଠାରୁ ପୁରୀରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ ଶଯ୍ୟା ଓ ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍‌)ରେ ୪୦ ଶଯ୍ୟା ପ୍ରସ୍ତୁତ କରାଯାଇଛି । ଜିଲାପାଳ ବଲୱନ୍ତ ସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ସମୀକ୍ଷା କରିଛନ୍ତି । ଜିଲାପାଳ ସିଂ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନା ମୁକାବିଲା ଲାଗି ବିଭିନ୍ନ ବିଭାଗର ଅଧିକାରୀମାନେ କାମ ଜାରି ରଖିଛନ୍ତି। ସେହିପରି ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଠାରେ କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଲକ୍ଷଣ ସାମାନ୍ୟ ଥିଲେ ତାଙ୍କୁ କୋଭିଡ ହେଲ୍‌ଥ ସେଣ୍ଟରକୁ ସ୍ଥାନାନ୍ତର କରାଯିବ। ହେଲ୍‌ଥ ସେଣ୍ଟରରେ ଅମ୍ଳଜାନ ସିଲିଣ୍ଡର ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସରଞ୍ଜାମ ରଖାଯାଇଛି। ୪୫ ଡାକ୍ତର, ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯାଇଛି ବୋଲି ଜିଲାପାଳ କହିଛନ୍ତି। ଏହି ସମୟରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ପ୍ରୋବେଶନ ଅଧିକାରୀ ମୟୂର ସୂର୍ଯ୍ୟବଂଶୀ, ଉପଜିଲାପାଳ ଭବତାରଣ ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ହେଲ୍‌ଥ ସେଣ୍ଟର ବୁଲିଥିଲେ।