ପୁରୀର ବିକାଶ ପାଇଁ ଓଏମ୍‌ସିକୁ ୬ ଖଣି ପ୍ରଦାନ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ପୁରୀର ବିକାଶ ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ। ଏହି ଉପଲକ୍ଷେ ବିଭାଗ ପକ୍ଷରୁ ୬ଟି ଖୋଣ୍ଡାଲାଇଟ୍‌ ଖଣିକୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି)କୁ ପ୍ରଦାନ କରାଯାଇଛି। ସମ୍ପୃକ୍ତ ୬ଟି ଖଣି ମଧ୍ୟରେ ଯାଜପୁରର ୩ଟି, ଖୋର୍ଦ୍ଧାର ୨ଟି ଓ କଟକର ଗୋଟିଏ ରହିଛି। ଉକ୍ତ ଖଣିରୁ ଓଏମ୍‌ସି ମାଧ୍ୟମରେ ଲଘୁ ଖଣିଜ ପଦାର୍ଥ ଉତ୍ତୋଳିତ ହେବ। ସେଥିରୁ ସଂଗୃହୀତ ଅର୍ଥକୁ ଐତିହ୍ୟସ୍ଥଳ ପୁରୀର ବିକାଶ ପାଇଁ ଉଦ୍ଦିଷ୍ଟ ଅବଢ଼ା ଯୋଜନାରେ ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି।

ତେବେ ପର୍ଯ୍ୟଟନସ୍ଥଳୀ ଭାବେ ପୁରୀର ବିକାଶକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ନିକଟରେ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଥିବା ବେଳେ ସ୍ବର୍ଗଦ୍ୱାର ଭିତରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି।