ପୁରୀରେ ହେବ ଟ୍ରାଫିକ ନିୟମ କଡାକଡି

ପୁରୀ ଅଫିସ,୨ା୯ : ରାଜ୍ୟରେ ନୂତନ ମୋଟର ଯାନ ଆଇନ ୨୦୧୯ ରବିବାର ଠାରୁ ଲାଗୁ କରାଯାଇଛି। କେନ୍ଦ୍ର ସରକାର ମୋଟର ଯାନ ଆଇନ ୧୯୮୮କୁ ସଂଶୋଧନ କରିଛନ୍ତି। ହେଲମେଟ ପରିଧାନ ନକଲେ, ସିଟ୍‌ ବେଲ୍ଟ ନ ବାନ୍ଧିଲେ ଏଣିକି ଜରିମାନା ଦେବାକୁ ପଡିବ। ମଦ୍ୟପାନ କରି ଯାନ ଚଳାଇଲେ, ଚାଳକଙ୍କୁ ତଣ୍ଡ ଗଣିବାକୁ ପଡିବ। ଆମ୍ବୁଲାନ୍ସକୁ ବାଟ ନ ଛାଡିଲେ, ରେଡ ସିଗନାଲକୁ ନ ମାନିଲେ, ଏଣିକି ଯାନାବାହନ ଚାଳକଙ୍କଠାରୁ ଭାରି ମାତ୍ରାରେ ଜରିମାନା ଆଦାୟ କରାଯିବ। ରାଜ୍ୟର ସମସ୍ତ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇଛି। ପୁରୀ ପୋଲିସ ପକ୍ଷରୁ ମଧ୍ୟ ପଦେକ୍ଷପ ଗ୍ରହଣ କରାଯାଇଛି। ଏନେଇ ଆଗକୁ ବିିଭିନ୍ନ ସ୍ଥାନରେ ଯାନାବାହନ ଯାଞ୍ଚକୁ କଡାକଡି କରାଯିବ ବୋଲି ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି। ବାଇକ ଅଥବା କାର ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ। ଆପଣ ବିପଦରେ ପଡିବା ସହିତ ଅନ୍ୟକୁ ମଧ୍ୟ ବିପଦକୁ ଟାଣି ଆଣିବେ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ଟ୍ରାଫିକ ପୋଲିସ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଟ୍ରାଫିକ ନିୟମକୁ ସମସ୍ତେ ମାନିଲେ, ସଡକ ଦୁର୍ଘଟଣା କମିବ। ନାବାଳକଙ୍କୁ ବାଇକ ଚଳାଇବାକୁ ନ ଦେବାକୁ ଏସ୍‌ପି ଦାଶ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି। ଜାତୀୟ ରାଜପଥରେ ଯିବା ସମୟରେ ମୋବାଇଲ ଠାରୁ ଦୁରରେ ରହିବା ସହ ସର୍ବଦା ହେଲମେଟ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।