ପୁନରୁଦ୍ଧାର ହେବ ଉପକୂଳ ସବୁଜିମା: ୫ବର୍ଷରେ ଖର୍ଚ୍ଚ ହେବ ୨୦୦ କୋଟି, ୮ ହଜାର ହେକ୍ଟର ଅଞ୍ଚଳରେ ହେବ ବୃକ୍ଷରୋପଣ

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ବାତ୍ୟା ‘ ଫନୀ’ରେ ଉପକୂଳ ଅଞ୍ଚଳରେ ଜଙ୍ଗଲ ଓ ବୃକ୍ଷ ସମ୍ପଦ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ସବୁଜିମା ଉଜୁଡି ଯାଇଛି। ତେଣୁ ଉପକୂଳ ସବୁଜିମାର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଶନିବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରିବା ସହ ଉପକୂଳ ସୁରକ୍ଷା ବଳୟର ପୁନରୁଦ୍ଧାର ଓ ବନୀକରଣ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୫ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରୁ ମିଳିଥିବା ସୂଚନାନୁସାରେ, ନିର୍ଦ୍ଧାରିତ ସମୟ ମଧ୍ୟରେ ୮ହଜାର ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ କରାଯିବ। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ୨୦୧୮-୧୯ରେ ୬୫ଲକ୍ଷ ଚାରା ରୋପଣ ଓ ବଣ୍ଟନ କରାଯାଇଥିବାବେଳେ ୨୦୧୯-୨୦ରେ ଏହାକୁ ଦୁଇଗୁଣ ଅର୍ଥାତ୍‌ ୧ କୋଟି ୩୦ଲକ୍ଷ ଚାରା ରୋପଣ କରାଯିବ। ଚଳିତବର୍ଷ ବିଭିନ୍ନ ସଂସ୍ଥା ଓ ଜନସାଧାରଣଙ୍କୁ ୫୦ଲକ୍ଷ ଚାରା ମାଗଣାରେ ଦିଆଯିବ। ସହରାଞ୍ଚଳ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ବର୍ଷ ମଧ୍ୟରେ ୫ଲକ୍ଷ ବୃକ୍ଷ ଲଗାଯିବ। କେବଳ ଚଳିତବର୍ଷ ୧ଲକ୍ଷ ଗଛ ଲଗାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକଙ୍କ ଜୀବିକାର ପୁନରୁଦ୍ଧାର ପାଇଁ ୧୨ହଜାର ହେକ୍ଟର ଅଞ୍ଚଳରେ ଫଳ ଗଛ ଲଗାଯିବ। ଏଥିସହିତ ୩ବର୍ଷ ପାଇଁ ଇଣ୍ଟର-କ୍ରପିଂ ପ୍ୟାକେଜ୍‌ ମଧ୍ୟ ଦିଆଯିବ। ୫ଲକ୍ଷ ଫଳ ଗଛ ଚାରା ଯୋଗାଇ ଦିଆଯିବା ସହିତ ଲୋକଙ୍କ ଘରବାଡ଼ିରେ ୪ଲକ୍ଷ ନ୍ୟୁଟ୍ରି-ଗାର୍ଡେନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନ, କୃଷି ଉତ୍ପାଦନ କମିଶନର, ବନବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ।