ପୁତ୍ର ସନ୍ତାନ ଜନ୍ମ ଦେଲେ ନାବାଳିକା

ଏରସମା,୨୦ା୬(ସ୍ବ.ପ୍ର.): ଏରସମା ଥାନା ଅଞ୍ଚଳର ଜଣେ ନାବାଳିକା ଗୁରୁବାର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହାପରେ ନାବାଳିକା ଓ ନବଜାତ ଶିଶୁର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପ୍ରଘଟ ହେବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ଭିଡ ଜମିଥିଲା।
ସୂଚନାଯୋଗ୍ୟ, ଥାନା ଅଧୀନ ଖୁରାଣ୍ଟ ଗ୍ରାମର ବିକାଶ ସାମନ୍ତ(୩୨)ନାମକ ବିବାହିତ ଯୁବକ ସମ୍ପୃକ୍ତା ୧୫ ବର୍ଷର ନାବାଳିକାଙ୍କୁ ଭୟଭୀତ କରାଇ ଅନୈତିକ ସମ୍ପର୍କ ରଖିଥିଲେ। ନାବାଳିକା ଏ ଘଟଣା କାହା ଆଗରେ ପ୍ରକାଶ କଲେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। କିଛିଦିନ ପରେ ନାବାଳିକା ଗର୍ଭବତୀ ହେବାରୁ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏଥିସହିତ ଖବର ଚାରିଆଡ଼େ ବ୍ୟାପୀ ଯାଇଥିଲା। ପରେ ପରିବାର ପକ୍ଷରୁ ମେ’ ୩୦ରେ ଏରସମା ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ମାମଲା (ନଂ-୮୧/୧୯)ରୁଜୁ କରିବା ସହ ଅଭିଯୁକ୍ତ ବିକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।