ପୁଣି ୩ କି.ମି. ବୁହାହେଲେ ଗର୍ଭବତୀ

ଟିକିରି,୧୨ା୮(ଡି.ଏନ୍‌.ଏ.):ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅନେକ ଗାଁକୁ ପକ୍କାରାସ୍ତା ନ ଥିବାରୁ ବାରମ୍ବାର ଗର୍ଭବତୀ ବୁହା ହେଉଥିବା ଚିତ୍ର ସାମ୍ନାକୁ ଆସୁଛି। ଗୋଡ଼ିବାଲି ପଞ୍ଚାୟତର ଦୁରୂପାଇ ଗ୍ରାମରେ ଗୁରୁବାର ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ଗାଁର ରାମଚନ୍ଦ୍ର ମାଝିଙ୍କ ସ୍ତ୍ରୀ ସୁଧା ବୁଧବାର ରାତିରେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ଆଶାକର୍ମୀ ହାରାବତୀ ବିଶୋଇ ଏବଂ ଏଏନ୍‌ଏମ୍‌ ଜେମାମଣି ସେଠୀଙ୍କୁ ଜଣାଇବା ପରେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା। ହେଲେ ଦୁରୂପାଇ ଗାଁକୁ ଭଲ ରାସ୍ତା ନ ଥିବାରୁ ଗର୍ଲିମା ଛକଠାରେ ଆମ୍ବୁଲାନ୍ସ ଅଟକିଯାଇଥିଲା। ବାଧ୍ୟହୋଇ ଆମ୍ବୁଲାନ୍ସ ଚାଳକ ପରୀକ୍ଷିତ ନାଏକ, ଆଶାକର୍ମୀ, ମାତୃଗୃହରେ କାର୍ଯ୍ୟରତ ପଦ୍ମିନୀ ଶବର ଓ ଏଏନ୍‌ଏମ୍‌ ଗାଁକୁ ଯାଇ ସୁଧାଙ୍କୁ ତାଙ୍କ ପରିବାର ଲୋକଙ୍କ ସହଯୋଗରେ ୩ କି.ମି. ବାଟ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏବେ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆମ୍ବୁଲାନ୍ସ ଚାଳକ ପରକ୍ଷିତ ଅନେକ ସମୟରେ ଦୁର୍ଗମ ଅଞ୍ଚଳରୁ ଗର୍ଭବତୀ ଏବଂ ରୋଗୀଙ୍କୁ ଡାକ୍ତରଖାନା ନେବାରେ ସାହାଯ୍ୟ କରି ରାଜ୍ୟ ସରକାରଙ୍କ ଠାରୁ ବେଷ୍ଟ ପାଇଲଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି।