ପୁଣି ଲେଉଟିଲା ତାତି : ୪୦ ଡିଗ୍ରୀ ଟପିଲା ୯ ସହର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : ପୁଣି ତାତି ଲେଉଟିଛି। ଶନିବାର ଅପେକ୍ଷା ରବିବାର ତାପମାତ୍ରା ବୃଦ୍ଧି ପାଇଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଘର ଭିତରେ ମଧ୍ୟ ଗୁଳୁଗୁଳି ଅନୁଭୂତି ହେଉଛି। ରବିବାର ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ମାଲକାନଗିରି, ସୋନପୁର ଆଦି ୯ ସହରରେ ତାପମାତ୍ରା ୪ଡିଗ୍ରୀ ଟପିଥିଲା। ସମ୍ବଲପୁର ସର୍ବାଧିକ ୪୩.୬ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ହୀରାକୁଦ ୪୩.୧, ଟିଟିଲାଗଡ଼ ୪୨.୬, ଝାରସୁଗୁଡ଼ା ୪୨.୨, ବଲାଙ୍ଗୀର ୪୨, ମାଲକାନଗିରି ୪୧, ସୋନପୁର ୪୦.୮, ଭବାନୀପାଟଣା ୪୦.୫ ଓ ଅନୁଗୋଳ ୪୦.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ତାପମାତ୍ରା ୩୭.୭ଡିଗ୍ରୀ ରହିଥିବା ବେଳେ କଟକରେ ୩୬.୫ଡିଗ୍ରୀ ରହିଥିଲା। ସେପଟେ କେରଳରେ ମୌସୁମୀ ଛୁଇଁବା ପରେ ଓଡ଼ିଶାରେ ମୌସୁମୀ କେବେ ପହଞ୍ଚିବ, ତାକୁ ନେଇ ସମସ୍ତଙ୍କର ଅପେକ୍ଷା। ଆଉ ୬ଦିନ ମଧ୍ୟରେ ଓଡ଼ିଶାରେ ମୌସୁମୀ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ବର୍ତ୍ତମାନ ପ୍ରାକ୍‌ ମୌସୁମୀ ବର୍ଷା ରାଜ୍ୟର ବିଭିନ୍ନ ସହରରେ ହେଉଛି। ରବିବାର ଉପକୂଳ ଓଡ଼ିଶା ସହ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କେରାପୁଟ ଆଦି ସହରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି। ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଜପତି, ଗଞ୍ଜାମ ଆଦି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ। ବାକି ସବୁ ଜିଲାରେ ପାଗ ଶୁଖିଲା ରହିବ ବୋଲି ପାଣପାଗ କେନ୍ଦ୍ର ଅନୁମାନ କରିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଓ ଗଞ୍ଜାମ ଜିଲାରେ କାଳବୈଶାଖୀ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏ ସବୁ ଜିଲାରେ ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା ରହିଛି। ତେଣୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।