ପୁଣି ଲଜ୍ଜା: ବଳାତ୍କାର ପାଇଁ ନେଉଥିବା ବେଳେ ଗାଡ଼ି ଦୁର୍ଘଟଣା, ଲୋକଲୋଚନକୁ ଆସିଲା ଘଟଣା

କେନ୍ଦୁଝର,୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅଞ୍ଚଳରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଶୁକ୍ରବାର ଗଣବଳାତ୍କାର ପାଇଁ ହାଟରୁ ନିଆଯାଉଥିବା ବେଳେ ବାଟରେ ଗାଡ଼ି ଦୁର୍ଘଟଣା ଘଟିବା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ଉକ୍ତ ନାବାଳିକାଙ୍କୁ ଦୁଇଥର ବଳାତ୍କାର କରାଯାଇଥିବା ଏବଂ ଧମକ ଚମକ କରି ଚୁପ୍‌ ରଖାଯାଇଥିବା ବେଳେ ଶୁକ୍ରବାର ପୁଣି ତାଙ୍କୁ ଗଣବଳାତ୍କାର ପାଇଁ ନିଆଯାଉଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ପରେ ସଂପୃକ୍ତା ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଘରେ ଛାଡ଼ି ଦେବା ପରେ ଶୁକ୍ରବାର ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ଏହା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ପାଖରେ କୌଣସି ସୂଚନା ନ ଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତିି କରାଯିବା ପରେ ଲୋକେ ଜାଣିବାକୁ ପାଇଥିଲେ।
ଡାକ୍ତରଖାନାରେ ନାବାଳିକାଙ୍କଠାରୁ ସମସ୍ତ ଘଟଣା ଜାଣିବା ପରେ ଅଭିଭାବକ ପୋଲିସକୁ ଜଣାଇଥିଲେ। ପୋଲିସ କେସ ରୁଜୁ କରି ତଦନ୍ତ ଚଳାଇଛି। ଶନିବାର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୀଡ଼ିତାଙ୍କ ଚିକିତ୍ସା କରାଯାଉଥିବା ସଖୀ- ଓ୍ବାନ୍‌ ସେଣ୍ଟରର ମୁଖ୍ୟ ବିପ୍ଳବ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ସଂପୃକ୍ତା ନାବାଳିକା ହାଟପାଳି ଦିନ ପରିବା ବିକିବାକୁ ଯାଇଥାନ୍ତି। ଉକ୍ତଦିନ କିଛି ଅଭିଯୁକ୍ତ ଜୋର୍‌ଜବରଦସ୍ତି ତାଙ୍କୁ ବଳାତ୍କାର କରିବା ଘରେ ଛାଡ଼ିଦିଅନ୍ତି। ଏଭଳି ଦୁଇଥର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାହାରେ ପ୍ରଘଟ କଲେ ହତ୍ୟା ପାଇଁ ଅଭିଯୁକ୍ତମାନେ ଧମକ ଦେଇଥାନ୍ତି। ତେଣୁ ଭୟରେ ନାବାଳିକା ଘରେ କାହାକୁ ଜଣାଇ ନ ଥିଲେ। ଶୁକ୍ରବାର ନାବାଳିକାଙ୍କୁ ଦୁଇଜଣ ଯୁବକ ବଳପୂର୍ବକ ବଳାତ୍କାର ପାଇଁ ଉଠାଇ ନେଉଥିବା ବେଳେ ଏକ ଗଛରେ ବାଇକ୍‌ଟି ପିଟି ହୋଇଯିବାରୁ ସମସ୍ତେ ପଡ଼ିଯାଇଥିଲେ। ଏଥିରେ ନାବାଳିକାଙ୍କ ଗୋଡ଼ ଭାଙ୍ଗିଯିବାରୁ ସେମାନେ ତାଙ୍କୁ ଘରେ ନେଇ ଛାଡ଼ି ଆସିଥିଲେ। ପୀଡ଼ିତା ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଅର୍ଥାଭାବରୁ ପୀଡ଼ିତାଙ୍କ ମା’ ଅନିଚ୍ଛା ପ୍ରକାଶ କରୁଛନ୍ତି। ଚାଇଲ୍‌ଡ ଲାଇନ ଓ ଶିଶୁ ମଙ୍ଗଳ କମିଟି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଏନେଇ ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ଘଟଣା ସମ୍ପର୍କରେ ମାମଲା ରୁଜୁ କରି ତଦନ୍ତ ଚାଲୁରହିଛି। ଏଥିରେ କେତେଜଣ ସମ୍ପୃକ୍ତ ତଦନ୍ତ ପରେ ଜଣାପଡ଼ିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।