ପୁଣି ମାତିଲେ ଲୁଟେରା:ମା’ ବେକରୁ ସୁନାଚେନ୍‌ ଝାମ୍ପିଲା ବେଳେ ଧରିଲା ପୁଅ

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ୫ଟି ଏନ୍‌କାଉଣ୍ଟର ପରେ ମଧ୍ୟ ସକ୍ରିୟ ଅଛନ୍ତି ଲୁଟେରା। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାଗବତ ସଂଧାନ ନିକଟରେ ମଙ୍ଗଳବାର ଦିନ ଦ୍ୱିପହରରେ ଜଣେ ମହିଳାଙ୍କଠାରୁ ସୁନାଚେନ ଲୁଟ୍‌ ଉଦ୍ୟମ ବେଳେ ତାଙ୍କ ସହ ଥିବା ପୁଅର ଉପସ୍ଥିତ ବୁଦ୍ଧି ଯୋଗୁ ଧରାପଡିଛନ୍ତି ଦୁଇ ଲୁଟେରା। ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଲୁଟେରାଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ପଚରାଉଚରା ଚଳାଇଥିବା ବେଳେ ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ସୂଚନା ମୁତାବକ, ସୁବ୍ରତ ଓଝା ଓ ତାଙ୍କ ମା’ ମନୋରମା ଓଝା ମଙ୍ଗଳବାର ଏକ ଅଟୋରେ ବମିଖାଲ କେନାଲ ରାଡରେ ଯାଉଥିଲେ। ଏହି ସମୟରେ ୩ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ମନୋରମାଙ୍କ ବେକରୁ ଚେନ ଝାମ୍ପି ନେଇ ଖସିଯିବାକୁ ଉଦ୍ୟମ କରୁଥିଲେ। ସୁବ୍ରତ ଅଟୋରୁ ଡେଇଁ ପଡ଼ି ଲୁଟେରାଙ୍କ ବାଇକ୍‌ର ପଛକୁ ଧରି ପକାଇଥିଲେ। ଫଳରେ ବାଇକ୍‌ରେ ବସିଥିବା ଲୁଟେରାମାନେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ମା’ ଓ ପୁଅଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କୁ କାବୁ କରିଥିଲେ। ଏହି ସମୟରେ ଅନ୍ୟ ଏକ ବାଇକ୍‌ରେ ବସି ଜଣେ ଲୁଟେରା ଖସି ପଳାଇଥିଲା। ଧରାପଡ଼ିଥିବା ଦୁଇ ଲୁଟେରାଙ୍କୁ ସ୍ଥାନୀୟ ଲାକେ ନିର୍ଧୂମ ମାଡ଼ ମାରିଥିଲେ। ଲୁଟର ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି। ଖବରପାଇ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚତ୍ ଲୁଟେରା ଦ୍ୱୟଙ୍କୁ ଉଦ୍ଧାର କରିବା ସହ ଲୁଟରେ ବ୍ୟବହୃତ ବାଇକ୍‌କୁ ଜବତ କରି ଥାନାକୁ ନେଇଥିଲା।