ପୁଣି ଡିଜେଲ ୨୧ପଇସା କମିଲା

ଭୁବନେଶ୍ୱର,୨୧।୮: କ୍ରମାଗତ ତୃତୀୟ ଦିନ ଲାଗି ସାରା ଦେଶରେ ଡିଜେଲ ଦର ହ୍ରାସ ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍‌)ର ସୂଚନା ଅନୁସାରେ ଶୁକ୍ରବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୨୧ ପଇସା କମିଛି। ଫଳରେ ଏଠାରେ ଡିଜେଲ ମୂଲ୍ୟ ୯୭.୨୭ ଟଙ୍କାରେ ବିକ୍ରି ହେଉଛି। ଏହା କୋଭିଡ୍‌ ସମୟରେ ପରିବହନ କ୍ଷେତ୍ରକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ ମଧ୍ୟ ଡିଜେଲର ସର୍ବକାଳନୀ ରେକର୍ଡ ଯୋଗୁ ଖାଉଟିଙ୍କ ଉପରେ ଏହାର ବ୍ୟାପକ ପ୍ରଭାବ ପଡୁଛି। ଅପରପକ୍ଷରେ ଗତ ୫ ସପ୍ତାହ ହେବ ପେଟ୍ରୋଲ ଦର ସ୍ଥିର ରହିଥିଲେ ମଧ୍ୟ ଏହାର ମୂଲ୍ୟ ହ୍ରାସ ହୋଇନାହିଁ। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୨.୬୬ ଟଙ୍କାରେ କାରବାର ହେଉଛି।
ସେହିଭଳି ନୂଆଦିଲ୍ଲୀରେ ମଧ୍ୟ ଡିଜେଲ ଉପରେ ୨୦ ପଇସା ହ୍ରାସ ଘଟିଥିବା ଜଣାପଡିଛି। ଏହି ଦର ହ୍ରାସ ଫଳରେ ସେଠାରେ ଡିଜେଲ ଲିଟର ପିଛା ୮୯.୨୭ ଟଙ୍କାରେ କାରବାର ହେଉଛି। ସେହିପରି ନୂଆଦିଲ୍ଲୀରେ ମଧ୍ୟ ପେଟ୍ରୋଲ ଦର ସ୍ଥିର ରହିବା ସହ ଲିଟର ପିଛା ୧୦୧.୮୪ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ଦେଶର ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ଡିଜେଲ ଦର ଯଥାକ୍ରମ ୯୩.୮୪ ଟଙ୍କା, ୯୨.୩୨ ଟଙ୍କା ଏବଂ ୯୬, ୮୪ ଟଙ୍କା ରହିଛି। ଏହିସବୁ ମେଟ୍ରୋ ସହରରେ ମଧ୍ୟ ପେଟ୍ରୋଲ ପୂର୍ବ ପରି ସ୍ଥିର ଅଛି।
କୋଭିଡ୍‌ ମହାମାରୀ ସମୟରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ଯୋଗୁ ତା’ର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡୁଛି। ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନରୁ ପରିବା ହାଟ ସବୁ ସ୍ତରରେ ଦର ବୃଦ୍ଧି ଘଟୁଛି। ଫଳରେ ଏହାକୁ ନେଇ ବିରୋଧୀ ଓ ଖାଉଟି ଏପରିକି ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ସହ ବିରୋଧ ପ୍ରଦର୍ଶନ କରାଯାଉଛି।