ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ: ଗର୍ଭବତୀଙ୍କୁ ୫ କିଲୋମିଟର କାନ୍ଧରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ

ପାପଡ଼ାହାଣ୍ଡି,୧୦।୨(ଡି.ଏନ୍‌.ଏ.): ସବୁବେଳେ ଜନହିତକର କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ଲୋକଙ୍କ ଠାରୁ ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ପହଞ୍ଚି ଯାଇ ସାହାଯ୍ୟ କରିବାକୁ ପଛାଉନାହାନ୍ତି। ସୋମବାର ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଖବର ପାଇ ଗ୍ରାମରେ ପହଞ୍ଚି ଦୀର୍ଘ ୫କି.ମି. ରାସ୍ତାରେ କାନ୍ଧରେ ବୋହି ଆଣି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ମଇଦଲପୁର ପଞ୍ଚାୟତ କୁସୁମୁଖୁଣ୍ଟି ଗ୍ରାମର ଜେମା ବେହେରାଙ୍କ ଆଜି ସକାଳୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ମାତ୍ର ଗାଁକୁ ଭଲ ରାସ୍ତାଟିଏ ନ ଥିବାରୁ ଆମ୍ବୁଲାନ୍ସ ଆସିପାରୁନାହିଁ। ତେଣୁ ଜଙ୍ଗଲ ରାସ୍ତାରେ ଦୀର୍ଘ ୫ କି.ମି. କାନ୍ଧରେ ବୋହି ଡାକ୍ତରଖାନା ଆଣିଥିଲେ ବିଧାୟକ। ବିଧାୟକଙ୍କ ଏପରି କାର୍ଯ୍ୟ ଦେଖି ସ୍ଥାନୀୟ ଅଧିବାସୀ ପ୍ରଶଂସା କରିଛନ୍ତି। ଶୀଘ୍ର ଗ୍ରାମକୁ ପକ୍କା ରାସ୍ତା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ସହ ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ ପ୍ରଧାନ, ଆର୍‌ସିଏମ୍‌ଏସ ସଭାପତି ସୁଶାନ୍ତ ବେହେରା, ସରୋଜ ଜାଲ ଓ ଗ୍ରାମବାସୀ ଚାଲିଚାଲି ଡାକ୍ତରଖାନା ଆସିଥିଲେ।