Categories: ଜାତୀୟ

୫୦ ଟପିଲା ପିଆଜ

ନୂଆଦିଲ୍ଲୀ,୨୧।୯: ଖାଉଟିଙ୍କୁ ପୁଣି ଥରେ ପିଆଜ କନ୍ଦାଇଛି। ଦେଶରେ ପିଆଜ ଦାମ୍‌ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ସପ୍ତାହ ତଳେ ଏହାର ଦାମ୍‌ କିଲୋପିଛା ୩୫ ଟଙ୍କା ଥିବାବେଳେ ଏବେ ଏହା ୫୦ ଟଙ୍କା ଛୁଇଁଛି। ଫଳରେ ଖୋଲା ବଜାରରେ ପିଆଜ ୫୦ ଟଙ୍କାରୁ ଅଧିକରେ ବିକ୍ରି ହେଉଛି। ପିଆଜ ଦାମ୍‌କୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ପକ୍ଷରୁ ଜୁନ୍‌ ମାସଠାରୁ ପ୍ରୟାସ କରାଯାଉଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ। ଏହାର କିଲୋ ପିଛା ଦାମ୍‌ ଗତ ୪ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଉଛି। ଦିଲ୍ଲୀର ଆଜାଦ୍‌ପୁର ମଣ୍ଡିରେ ପିଆଜ ଦାମ୍‌ ପୂର୍ବରୁ କିଲୋପିଛା ୪୫ ଟଙ୍କା ଥିବାବେଳେ ଏବେ ଏଥିରେ ୫ ଟଙ୍କା ବୃଦ୍ଧି ପାଇଛି। ଏସିଆରେ ବୃହତ୍‌ ମଣ୍ଡି ମହାରାଷ୍ଟ୍ରର ଲାସଲଗାଓ୍ବଁରେ ମଧ୍ୟ ପିଆଜର ଦାମ୍‌ ଶନିବାର ୫୦ ଟଙ୍କା ହୋଇଛି। ୨୦୧୫ପରେ ପିଆଜ ଦାମ୍‌ରେ ଏଭଳି ବୃଦ୍ଧି ଘଟିଥିବା କୁହାଯାଉଛି। ଦକ୍ଷିଣ ଭାରତ ସମେତ ପିଆଜ ଚାଷ ହେଉଥିବା ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁ ଚାଷ କାର୍ଯ୍ୟରେ ବାଧା ଉପୁଜି ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଦେଶରେ ପିଆଜ ଅଭାବ ଦୂର କରିବା ପାଇଁ ସରକାର ଗତ ସପ୍ତାହରେ ପିଆଜର ନ୍ୟୁନତମ ରପ୍ତାନୀ ଦାମ୍‌ ଟନ ପିଛା ୮୫୦ ଡଲାର କରିଥିଲେ। ଏହାଦ୍ୱାରା ରପ୍ତାନୀ କମିବା ସହିତ ଦେଶରେ ପିଆଜ ଉପଲବ୍ଧରେ ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି କୁହାଯାଉଥିଲା। ତେବେ ମଧ୍ୟ ଦେଶରେ ପିଆଜ ଦାମ୍‌ରେ ବୃଦ୍ଧି ଘଟିଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share