Categories: ଜାତୀୟ

ପୁଣିଥରେ ଜମ୍ମୁ-କଶ୍ମୀରରେ ବନ୍ଦ ହେଲା ୨ଜି ମୋବାଇଲ ନେଟଓ୍ବର୍କ ସେବା

ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ରବିବାର ପାଳନ କରାଯାଉଛି ୭୧ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀଠାରୁ ପଲ୍ଲୀ ସବୁଠି ଉତ୍ସବ ମୁଖର। ଏହାକୁ ନେଇ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ବିଶେଷ କରି ରାଜଧାନୀ ଦିଲ୍ଲୀ ସମେତ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଦୀର୍ଘଦିନ ପରେ ଜମ୍ମୁ-କଶ୍ମୀରରେ ଗତ ଶନିବାର ୨ଜି ମୋବାଇଲ ନେଟଓ୍ବର୍କ ସେବା ଲାଗୁ କରାଯାଇଥିବା ବେଳେ ଏବେ ପୁଣିଥରେ ଏହାକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି। ତେବେ ରବିବାର ସାଧାରଣତନ୍ତ୍ର ଦିବସ ଥିବାରୁ ଓ ପୂର୍ବରୁ ଏହିଦିନ ଆତଙ୍କବାଦୀ ଆକ୍ରମଣ ସୂଚନା ମିଳିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ୨ଜି ମୋବାଇଲ ଇଣ୍ଟରନେଟ ସେବାକୁ ପୁଣିଥରେ ବନ୍ଦ କରିଦିଆଯାଇଥିବା ଜଣାପଡିଛି। ଏହା୨୫ ଜାନୁୟାରୀ ସନ୍ଧ୍ୟା ୬ଟାରୁ ୨୬ ଜାନୁୟାରୀ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡିଛି। ଅର୍ଥାତ୍‌ ରବିବାର ସନ୍ଧ୍ୟା ୬ଟା ପରେ ପୁଣିଥରେ ଏହା କାର୍ଯ୍ୟକ୍ଷମ ହେବ। ସେହିପରି ଭଏସ୍‌ କଲିଂ ଓ ମେସେଜିଂ ସେବାକୁ ୨୬ ତାରିଖ ସକାଳୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

Share