Categories: ଜାତୀୟ

ପୁଅ ପାଇଁ ନ୍ୟାୟ ଭିକ୍ଷା କରି ୩୫୦ କିଲୋମିଟର ଚାଲିଲେ ୮୧ ବର୍ଷୀୟ ପିତା

ଜୟପୁର,୨୩।୭: ରାଜସ୍ଥାନ ହନୁମାନଗଡ଼ ଜିଲାରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ମୃତକଙ୍କ ପିତା ନ୍ୟାୟ ଭିକ୍ଷା ପାଇଁ ବିଧାନସଭା ଘେରାଉ କରିଛନ୍ତି। ମୃତକ ହେଉଛନ୍ତି ରାମସ୍ବରୂପଙ୍କ ପୁଅ ପବନ ବ୍ୟାସ। ହନୁମାନଗଡ଼ରୁ ଜୟପୁର ବିଧାନସଭା ପର୍ଯ୍ୟନ୍ତ ପ୍ରାୟ ୩୫୦ କିଲୋମିଟର ଚାଲି ଚାଲି ଆସି ପିତା ରାମସ୍ବରୂପ ସୋମବାରରୁ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନାଯୋଗ୍ୟ, ହନୁମାନଗଡ଼ ଜିଲା ନୋହର ତହସିଲର ଜସରା ଗଁାରେ ଅକ୍ଟୋବର୨୦୧୭ରେ ତାଙ୍କ ପୁଅ ପବନ ବ୍ୟାସଙ୍କୁ ଦିନଦ୍ୱିପହରେ ହତ୍ୟା କରାଯାଇଥିଲା। ଘଟଣା ପରେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯିବା ପରେ ଚାପରେ ଆସି ସରକାର ଏହି ମାମଲାର ତଦନ୍ତ ପୋଲିସର ସ୍ପେଶିଆଲ ଅପରେଶନ୍‌ ଗ୍ରୁପକୁ ହସ୍ତାନ୍ତର କରିଛନ୍ତି। ଖୁବ୍‌ଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି। ଅପରପକ୍ଷରେ ଏହି ମାମଲାରେ ପୀଡ଼ିତ ପିତାଙ୍କୁ ନ୍ୟାୟ ମିଳିବ ବୋଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶାନ୍ତିଲାଲ ଧରିଓ୍ବାଲ ଅଶ୍ୱାସନା ଦେଇଛନ୍ତି।

Share