ପିସିସି ସଭାପତି ପଦବୀ ପାଇଁ ମୁଁ ଉପଯୁକ୍ତ ନୁହେଁ କି ମୋର ପତିଆରା ନାହିଁ: ସୁର

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦବୀ ଲାଗି ଆଶାୟୀ ନ ଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ନିରଞ୍ଜନଙ୍କୁ ଗାଦିରୁ ହଟାଇ ଦଳର ଅନ୍ୟ ତୁଙ୍ଗ ନେତାଙ୍କୁ ବସାଇବାକୁ ଦଳୀୟ ନେତା ଏକାଠି ହେଉଥିବା ବେଳେ ଏପରି ପ୍ରତିକ୍ରିୟା ରଖିଛନ୍ତି ସୁର। ପଦବୀ ପାଇଁ ଆଶାୟୀ କି ପ୍ରଶ୍ନରେ ସେ କହିଛନ୍ତି, ମୁଁ ଆଶାୟୀ ନୁହେଁ କି ମୁଁ ଉପଯୁକ୍ତ ନୁହେଁ। ମୋର ଗରିମା ନାହିଁ କି ପତିଆରା ନାହିଁ। ଏହାଛଡ଼ା ସଭାପତି ପଦକୁ ନେଇ ବୁଧବାର ପାନ୍ଥନିବାସରେ ଅନୁଷ୍ଠିତ ଚିନ୍ତନ ବୈଠକରେ କଂଗ୍ରେସ ନେତା ଏକାଠି ହେବାକୁ ସୁର ତାତ୍ସଲ୍ୟ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ କହୁଛନ୍ତି ବା ହେବାକୁ ଚାହୁଁଛନ୍ତି, ସେମାନେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦେଖା କରନ୍ତୁ।

ଖାଲି ସେତିକି ନୁହେଁ ନିରଞ୍ଜନଙ୍କ ‘ମୋତେ ମୁକ୍ତି ଦିଅ’ ମନ୍ତବ୍ୟକୁ ନେଇ ସୁର ଟିପ୍ପଣୀ କରି କହିଛନ୍ତି, ନିରଞ୍ଜନ ବାବୁ ଏକଥା ସିଧା ସୋନିଆ ଗାନ୍ଧୀଙ୍କୁ କୁହନ୍ତୁ। ଯଦି ସେ ଏପରି କରନ୍ତେ, ତେବେ କାମ ଖତମ ହୋଇଯାଆନ୍ତା ବୋଲି ସୁର କହିଛନ୍ତି।

ସୂଚନାଯୋଗ୍ୟ, ନିରଞ୍ଜନ ପିସିସିକୁ ଠିକ୍‌ ଭାବେ ନେତୃତ୍ୱ ଦେଇପାରୁ ନ ଥିବା ଏବଂ ଦଳରେ ଆମୁଳଚୂଳ ପରିବର୍ତ୍ତନ ହେବାର ଆବଶ୍ୟକତା ଥିବାର ଆବଶ୍ୟକତା ଥିବା ନେତାମାନେ ମତ ରଖୁଛନ୍ତି। ତାଙ୍କ ସ୍ଥାନରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ବସାଇବା ପାଇଁ ବୈଠକରେ ମୁଁହ ଖୋଲିଛନ୍ତି। ଏହାକୁ ନେଇ ନିରଞ୍ଜନ କହିଥିଲେ, ସଭାପତି ରହିବାକୁ ଚାହୁଁନି, ମୋତେ ମୁକ୍ତି ଦିଅ। ଏଥିସହ ଦଳ ବାହାରେ ଏମିତି ରଖି ଆଉ କ୍ଷତି ନ କରିବାକୁ ସେ ଅନୁରୋଧ କରିଛନ୍ତି।