ପିଲାଦିନ ଶିକ୍ଷା ବୃଦ୍ଧାବସ୍ଥାରେ ସ୍ମୃତିଶକ୍ତିକୁ ରଖେ ପ୍ରଖର

ଓ୍ବାଶିଂଟନ, ୭।୬: ବୟସ ବଢ଼ିବା ସହିତ ମଣିଷର ସ୍ମୃତି ଶକ୍ତି କମିବାରେ ଲାଗିଥାଏ। ତେବେ ପିଲାଦିନେ ଅଧିକ ସମୟ ଧରି ସ୍କୁଲରେ ବିତାଇଥିବା ଲୋକଙ୍କ ସ୍ମୃତି ଶକ୍ତି ବୃଦ୍ଧାବସ୍ଥାରେ ମଧ୍ୟ ପ୍ରଖର ରହିଥାଏ। ଏନେଇ ଆମେରିକା ଜର୍ଜ ଟାଉନ ବିଶ୍ୱବିଦ୍ୟାଳୟ ମେଡ଼ିକାଲ ସେଣ୍ଟରରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ପୁରୁଷଙ୍କ ତୁଳନାରେ ଅଧିକ ସମୟ ଧରି ସ୍କୁଲରେ ବିତାଇଥିବା ମହିଳାଙ୍କ ସ୍ମୃତି ଶକ୍ତି ବୃଦ୍ଧାବସ୍ଥାରେ ମଧ୍ୟ ପ୍ରଖର ରହିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେଣୁ ଏଭଳି ମହିଳାଙ୍କୁ ଆଲଝିମର୍‌ ସମସ୍ୟା ପ୍ରାୟତଃ ହୋଇ ନ ଥାଏ। ଗବେଷକ ୭୦୪ ଲୋକଙ୍କ ଉପରେ ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। ପୁରୁଷଙ୍କ ତୁଳନାରେ ବୃଦ୍ଧାବସ୍ଥାରେ ମହିଳାଙ୍କ ସ୍ମୃତି ଶକ୍ତି ୫ ଗୁଣା ପ୍ରଖର ରହିଥାଏ ବୋଲି ନ୍ୟୁରୋ ସାଇନ୍ସ୍‌ ବିଭାଗ ନିର୍ଦ୍ଦେଶକ ପ୍ରଫେସର ମାଇକେଲ ଉଲମାନ୍‌ ସୂଚନା ଦେଇଛନ୍ତି। ମହିଳାମାନେ ବୟସ ଅଧିକ ହେଲେ ମଧ୍ୟ ପିଲାଦିନର ବହୁ ସ୍ମୃତିକୁ ମନେ ରଖିପାରିଥାନ୍ତି। ଅପରପକ୍ଷରେ ପୁରୁଷଙ୍କ କ୍ଷେତ୍ରରେ ଏହା ପ୍ରାୟତଃ ସମ୍ଭବ ହୋଇ ନ ଥାଏ ବୋଲି ସେ କହିଛନ୍ତି।