ପିଲାଙ୍କୁ ପସନ୍ଦ ଡିଜିଟାଲ୍‌ ଲର୍ନିଂ

ଓ୍ମାଶିଂଟନ୍‌: ସ୍ମାର୍ଟଫୋନ୍‌, ଇ-ବୁକ୍ସ ଓ ଟାବଲେଟ୍‌ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ ନାହିଁ ବୋଲି ଅଭିଭାବକ ଚିନ୍ତାରେ ରହୁଛନ୍ତି। ହେଲେ ସ୍ମାର୍ଟଫୋନ୍‌ରେ ଯଦି ପିଲାଙ୍କୁ ଆକର୍ଷିତ କରୁଥିବା ଲର୍ନିଂ ଆପ୍‌ ରଖାଯାଏ, ତା’ହେଲେ ପିଲାମାନେ ବହି ତୁଳନାରେ ଏଥିରୁ ଅଧିକ ଶିକ୍ଷା ଗ୍ରହଣ କରିପାରିଥାନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ପଢ଼ା ବହିରୁ ବୁଝିବାକୁ ପିଲାଙ୍କୁ କଷ୍ଟ ଲାଗୁଥିବା ବେଳେ ଆନିମେଟେଡ୍‌ କାହାଣୀ ବା କବିତା ସେମାନେ ସମସ୍ତ ବିଷୟକୁ ଭଲରେ ବୁଝିପାରନ୍ତି ବୋଲି ଡାଇଟ୍ରିକ୍‌ କଲେଜ ଅଫ୍‌ ହ୍ୟୁମାନିଟିଜ୍‌ ଆଣ୍ଡ ସାଇନ୍ସର ପ୍ରଫେସର୍‌ ଏରିକ୍‌ ଥିଏସନ୍‌ କହିଛନ୍ତି। ସେ କହିଛନ୍ତି, ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମର ବ୍ୟବହାର ବେଶ୍‌ ବୃଦ୍ଧି ପାଇଥିବା ବେଳେ ପିଲାଙ୍କ ପାଠପଢ଼ା କ୍ଷେତ୍ରରେ ମଧ୍ୟ ଏହାର ଯୋଗଦାନ ରହିଛି। ଯେତେବେଳେ ପିଲାଙ୍କୁ ଇ-ବୁକ୍ସ, ସ୍ମାର୍ଟଫୋନ୍‌ ବା ଟାବଲେଟ୍‌ ଦ୍ୱାରା କୌଣସି ଶିକ୍ଷା ଦିଆଯାଇଛି, ସେତେବେଳେ ସେମୋନେ ଅଧିକ ଶିଖି ପାରିଛନ୍ତି। ଆନିମେଟେଡ୍‌ କାହାଣୀ ବା କବିତା ଖୁବ୍‌ଶୀଘ୍ର ପିଲାଙ୍କୁ ଆକର୍ଷିତ କରିପାରୁଥିବା ବେଳେ ଏହାର ବିଷୟବସ୍ତୁ ସେମାନଙ୍କ ମସ୍ତିଷ୍କରେ ଖୁବ୍‌ ସହଜରେ ବସିଯାଏ। ଏବେ ଏହିଭଳି ଅନେକ ଆପ୍‌ ଉପଲବ୍ଧ ହେଉଛି, ଯାହା ସାହାଯ୍ୟରେ ଯେକୌଣସି ବିଷୟ ସମ୍ପର୍କରେ ସହଜରେ ସମସ୍ତ ତଥ୍ୟ ଜାଣିହେବ। ଅଧ୍ୟୟନ ବେଳେ ପିଲାମାନଙ୍କୁ ପ୍ରଥମେ ପାଠ୍ୟ ପୁସ୍ତକ ପଢ଼ାଯିବା ପରେ ଆନିମେଟେଡ୍‌ ଭିଡିଓ ବା ଗୀତ ମାଧ୍ୟମରେ ସେହି ଷ୍ଟୋରି ସମ୍ପର୍କରେ ସୂଚନା ପଢ଼ା ଯାଇଥିଲା। ତେବେ ଆନିମେଟେଡ୍‌ ଭିଡିଓ ପିଲାଙ୍କୁ ଅଧିକ ଆକର୍ଷଣୀୟ ଲାଗିବା ସହ ଏହାକୁ ସେମାନେ ଅତି ସହଜରେ ମନେ ରଖିପାରୁଥିବା ପ୍ରଫେସର୍‌ ଥିଏସନ୍‌ କହିଛନ୍ତି।

Share