ପିଲାଙ୍କୁ ନିଜ ଫିଲ୍ମ ଦେଖିବାକୁ ମନାକଲେ ଇମ୍ରାନ୍‌ ହାସ୍‌ମୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇମ୍ରାନ୍‌ ହାସ୍‌ମୀ ଆଜିକାଲି ଏକଦମ୍‌ ବ୍ୟସ୍ତ ଅଛନ୍ତି। ନିଜ ଅପ୍‌କମିଂ ଫିଲ୍ମ ‘ଦ ବଡି’ର ପ୍ରମୋଶନରେ ଲାଗିପଡ଼ିଛନ୍ତି ଇମ୍ରାନ୍‌। ଏହି ପରିପ୍ରେକ୍ଷୀରେ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତ୍‌କାର ସମୟରେ ସେ କିଛି ମତାମତ ଓ ପ୍ରତିକ୍ରିୟା ଦେଇଛନ୍ତି, ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ।
ଫିଲ୍ମ ପ୍ରମୋଶନ ଅବସରରେ ଗଣମାଧ୍ୟମର କିଛି ପ୍ରଶ୍ନର ସିଧାସିଧା ଉତ୍ତର ରଖିଥିଲେ ଇମ୍ରାନ୍‌। ଆମ ଦେଶରେ ନାବାଳିକା,ନାବାଳକଙ୍କୁ କ’ଣ ଦେଖିବା ଉଚିତ ବୋଲି ପଚରା ଯିବାରୁ ସେ ମଜାଦାର ଉତ୍ତର ଦେଇଥିଲେ। ଇମ୍ରାନ୍‌ ପିଲାମାନେ କ’ଣ ଦେଖିବା ଉଚିତ୍‌ ସେ କଥା ଯଦିଓ କହି ନ ଥିଲେ, ତେବେ ପିଲାମାନେ କ’ଣ ନ ଦେଖିବା ଉଚିତ୍‌ ସେ କଥା ସଫା ସଫା କହିଥିଲେ। ସେ କହିଥିଲେ, ପିଲାମାନେ ମୋ ଫିଲ୍ମ ଦେଖିବା ଉଚିତ୍‌ ନୁହେଁ। ଦେଶର ନାବାଳକମାନେ ମୋ ଫିଲ୍ମ କେବେ ବି ନ ଦେଖନ୍ତୁ ବୋଲି ଇମ୍ରାନ ପ୍ରତିକ୍ରିୟା ରଖିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମୋ ଫିଲ୍ମ ‘ଦ ବଡି’ ମଧ୍ୟ ଏ(A) ସାର୍ଟିଫିକେଟ୍‌ ଫିଲ୍ମ ଅଟେ। ଏହାକୁ ମଧ୍ୟ ପିଲାମାନେ ଦେଖିବା ଉଚିତ ନୁହେଁ। ତେବେ ଫିଲ୍ମଟି ବେଶ୍‌ ମଜାଦାର ଆଉ ସସ୍‌ପେନ୍ସରେ ଭରପୂର, ଯେଉଁଥିରେ ଦର୍ଶକ ଗୋଟିଏ ସିନ୍‌ ପରେ ଆଗକୁ କ’ଣ ହେବ ତାହା ଅନୁମାନ ମଧ୍ୟ କରିପାରିବେ ନାହିଁ। ସେହିପରି କଳାକାରଙ୍କୁ ଫିଲ୍ମରେ ଅଭିନୟର ସୁଯୋଗ ପାଇବାକୁ ନିର୍ଦ୍ଦେଶକଙ୍କୁ ମିଛ ପ୍ରଶଂସା କରିବାକୁ ପଡ଼ିଥାଏ ବୋଲି ଏକ ପ୍ରଶ୍ନରେ ମଧ୍ୟ ଇମ୍ରାନ୍‌ ସ୍ପଷ୍ଟ ଉତ୍ତର ଦେଇଥିଲେ। ସେ କହିଥିଲେ, ହଁ, ବେଳେ ବେଳେ କାମ ହାସଲ କରିବାକୁ ସେଟ୍‌ରେ ନିର୍ଦ୍ଦେଶକଙ୍କ ମିଛ ପ୍ରଶଂସା କରିବାକୁ ପଡ଼ିଥାଏ। ‘ଦ ବଡି’ ଫିଲ୍ମରେ ଇମ୍ରାନ୍‌ଙ୍କ ବ୍ୟତୀତ ଋଷି କପୁର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ। ଫିଲ୍ମଟି ୨୦୧୨ରେ ରିଲିଜ୍‌ ସ୍ପାନିଶ୍‌ ଫିଲ୍ମ ‘ଦ ବଡି’ର ହିନ୍ଦୀ ରିମେକ୍‌ ହୋଇଥିବାବେଳେ ଡିସେମ୍ବର ୧୩ରେ ଏହା ରିଲିଜ୍‌ ହେବ।

Share