ପିଲାଙ୍କୁ ନିଆଁରୁ ବଞ୍ଚାଇ ଜେଲ ଗଲେ ମା’

ପ୍ୟୋଙ୍ଗୟାଙ୍ଗ୍‌, ୧୧ା୧ : ପୃଥିବୀରେ ଗୋଟିଏ ଦେଶ ରହିଛି ଉତ୍ତର କୋରିଆ। କିମ ଜଙ୍ଗ୍‌ ଉନ ସେଠାକାର ସର୍ବୋଚ୍ଚ ଶାସକ। ଏହି ଦେଶରେ ଆଇନକାନୁନ ନାଁରେ କିଛି ବି ହୋଇପାରିବ। ନିକଟରେ ଜଣେ ମା’ଙ୍କୁ ଜେଲ ପଠାଯାଇଛି। ଏହା ପଛର କାରଣ ଆହୁରି ଚକିତ କରୁଛି। ମହିଳାଙ୍କ ଘରେ ନିଆଁ ଲାଗିଥିଲା ଆଉ ସେ ନିଜର ପିଲାଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। କିନ୍ତୁ ଘର କାନ୍ଥରେ ଲାଗିଥିବା କିମ୍‌ଙ୍କ ପରିବାର ଫଟୋକୁ ନିଆଁରୁ ବଞ୍ଚାଇ ପାରି ନ ଥିଲେ। ଏବେ ଏହି ଘଟଣା ପାଇଁ ଉକ୍ତ ମହିଳାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁସାରେ ଏହି ମାମଲା ଚାଇନାର ସୀମାବର୍ତ୍ତୀ ଉତ୍ତର ହାମ୍‌ସଙ୍ଗ ପ୍ରାନ୍ତର ଅନ୍‌ସଙ୍ଗ କାଉଣ୍ଟିର। ଏଠାରେ ଗୋଟିଏ ଘରେ ଦୁଇଟି ପରିବାର ମିଶି ରହୁଥିଲେ। ନିଆଁ ଲାଗିବା ସମୟରେ ଘରେ ପିଲମାନେ ଏକା ଥିଲେ। ଏପରି ସ୍ଥିତିରେ ପିଲାଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକେ ନିଆଁକୁ ଡେଇଁଥିଲେ। ଘର କାନ୍ଥରେ ଲାଗିଥିବା କିମ୍‌ ଜଙ୍ଗ୍‌ ଉନଙ୍କ ପରିବାର ଫଟୋ ନିଆଁରେ ଜଳି ପାଉଁଶ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଉତ୍ତର କୋରିଆର ନାଗରିକମାନଙ୍କୁ ଘରେ ପୂର୍ବତନ ନେତାଙ୍କ ଫଟୋ ଲଗାଇବାକୁ କୁହାଯାଇଛି । ମହିଳାଙ୍କ ଘରେ କିମ୍‌ ଇଲ-ସଙ୍ଗ ଏବଂ କିମ୍‌ ଜଙ୍ଗ୍‌ ଇଲଙ୍କ ଫଟୋ ଲାଗିଥିଲା। ଘରଗୁଡିକରେ ଫଟୋ ଲାଗିଛି କି ନାହିଁ ଏହାର ତଦନ୍ତ କରିବା ପାଇଁ ପୋଲିସ ଇନ୍ସପେକ୍ଟରଙ୍କୁ ପଠାଯାଇଛି। ନାଗରିକଙ୍କଠାରୁ ଏହା ମଧ୍ୟ ଆଶା କରାଯାଉଛି ଯେ, ସେମାନେ ଏହି ଫଟୋ ଗୁଡିକୁ ମଣିଷଙ୍କ ପରି ସମ୍ମାନ ଦେବେ। ଏହି ଫଟୋଗୁଡିକର ଅପମାନ ଅପରାଧ ଶ୍ରେଣୀରେ ଧରାଯାଉଛି।
ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ସମ୍ପୃକ୍ତ ମହିଳା ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିପାରେ। ମହିଳାଙ୍କ ପିଲାମାନେ ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ମା’ ଚାହିଁଲେ ମଧ୍ୟ ନିଜ ପିଲାଙ୍କୁ ଭେଟିପାରୁନାହାନ୍ତି।

Share