ପିପିଏଲ ଜଳାଶୟରେ ୨୭ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ପାରାଦୀପ,୭ା୧(ସ୍ବ.ପ୍ର.): ପାରାଦୀପ ଫସ୍‌ପେଟ୍‌ସ ଲିମିଡେଟ୍‌(ପିପିଏଲ୍‌) ପରିସରରେ ଥିବା ୧୬ଟି ବୃହତ ଜଳାଶୟରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ସୋମବାର ରାଜନଗର ବନଖଣ୍ଡ ପକ୍ଷରୁ ମିଳିଥିବା ପକ୍ଷୀଗଣନା ରିପୋର୍ଟ ଅନୁସାରେ ୨୭ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ଏସବୁ ଜଳାଶୟରେ ଅଛନ୍ତି। ୩୮ ପ୍ରଜାତିର ପକ୍ଷୀ ଏଥିରେ ଅନ୍ତର୍ଭୁକ୍ତ। ଡ୍ବିଙ୍ଗେଡଗେଷ୍ଟ ଭଳି ନୂଆ ପକ୍ଷୀ ରହିଛନ୍ତି ବୋଲି ବନବିଭାଗର ରେଞ୍ଜ ଅଫିସର ମାନସ କୁମାର ଦାସ କହିଛନ୍ତି। ସୂଚନାଥାଉକି ପିପିଏଲ୍‌ ପରିସରରେ ୧୬ଟି ବଡ଼ ଜଳାଶୟ ରହିଛି। ସେଥିରେ ଗତ ୧୦ ବର୍ଷ ହେଲା ଶୀତଦିନେ ଦେଶୀ-ବିଦେଶୀ ପକ୍ଷୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ଅଧିକ ସଂଖ୍ୟାରେ ପକ୍ଷୀ ଆସିବାଯୋଗୁ ପ୍ରତିବର୍ଷ ଗଣନା ମଧ୍ୟ କରାଯାଉଛି। ପିପିଏଲ କର୍ତ୍ତୃପକ୍ଷ ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। କୌଣସି ଲୋକ ଯେପରି ପକ୍ଷୀଙ୍କୁ ବ୍ୟାହତ ନ କରନ୍ତୁ ସେଥିପାଇଁ କଠୋର ବ୍ୟବସ୍ଥା ମଧ୍ୟ ଆପଣେଇଛନ୍ତି। ନିରୋଳା ପରିବେଶ, ଉପଯୁକ୍ତ ବାସ ଓ ଖଦ୍ୟ ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ପକ୍ଷୀଙ୍କ ପାଇଁ ଉପଯୋଗୀ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ଏଥିସହ ପର୍ଯ୍ୟାବରଣ କ୍ଷେତ୍ରରେ ସମସ୍ତ କମ୍ପାନୀଠାରୁ ଅଧିକ ଏବଂ ଧାର୍ଯ୍ୟ ୩୩ ପ୍ରତିଶତଠାରୁ ୫ ପ୍ରତିଶତ ଗଛ କମ୍ପାନୀ ପରିସରରେ ରହିଛି। ପ୍ରଦୂଷଣ ଯୁକ୍ତ କାରଖାନା ପରିସରରେ ବିଦେଶୀ ପକ୍ଷୀ କେବେ ରହି ନ ଥାନ୍ତି। କମ୍ପାନୀର ପ୍ରଦୂଷଣ ନୀତି ପକ୍ଷୀଙ୍କ ଆଗମନରୁ ଜଣାଯାଏ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।