ପିତାଙ୍କ ଶିକ୍ଷାକୁ ମନେ ପକାଇଲେ ଅମିତାଭ: କହିଲେ ମନ ଚାହେଁ ତ ଭଲ, ମନ ଚାହୁଁନି ତ ସବୁଠୁ ଭଲ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ତାଙ୍କ ପିତାଙ୍କ ସମ୍ପର୍କ କେତେ ଭଲ ତାହା ପ୍ରଶଂସକମାନେ ବେଶ୍‌ ଭଲ ଭାବେ ଜାଣିଛନ୍ତି। ଦୁହେଁ ଦୁହିଁଙ୍କ ଖୁବ୍‌ ନିକଟତର ଥିଲେ। ଅମିତାଭ ଆଜି ବି ଏ ବୟସରେ ପ୍ରତି ମୁହୂର୍ତ୍ତରେ ପିତାଙ୍କୁ ମନେ ପକାଉଛନ୍ତି। ପିତାଙ୍କର ଆଦର୍ଶ ଏବଂ ଶିକ୍ଷାକୁ ପାଥେୟ କରି ଜୀବନ ଯୁଦ୍ଧରେ ବଞ୍ଚିବା ଶିଖୁଛନ୍ତି। ଖାଲି ମନେ ପକାଉନାହାନ୍ତି,ପିତାଙ୍କ ବିଷୟରେ କିଛି ଧାଡ଼ି ଲେଖି ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରି ଫ୍ୟାନ୍‌ମାନଙ୍କୁ ମଧ୍ୟ ଜଣାଇଛନ୍ତି।
ସେ ଲେଖିଛନ୍ତି, ‘ମନ ଚାହେଁ ତ ଭଲ’। ‘ମନ ଚାହୁଁନି ତ ସବୁଠୁ ଭଲ’। ଜୀବନର ଏକ ବିଚଳିତ ମୋଡ଼ରେ ମୋ’ ପିତା ମୋତେ ଏହା ଶିଖାଇଥିଲେ। ମୁଁ କିନ୍ତୁ ପିତାଙ୍କ ଏହି କଥାକୁ ସେତେବେଳେ ବୁଝି ପାରି ନ ଥିଲି। ପରେ ସେ ମୋତେ ବୁଝାଇଥିଲେ, ମନ ଠାରୁ ଭଲ କଥା କିଛି ନାହିଁ। ଈଶ୍ୱରଙ୍କ ଇଚ୍ଛାରେ ସବୁ ହେଉଛି। ତେଣୁ ଈଶ୍ୱର ଚାହୁଁନାହାନ୍ତି ମାନେ ତାହା ଭଲ ନୁହେଁ। ଈଶ୍ୱର ସବୁବେଳେ ସମସ୍ତଙ୍କର ଭଲ ହିଁ ଚାହିଁଥାନ୍ତି। ତେଣୁ ଏହା ସବୁଠୁ ଭଲ।
ଅମିତାଭ ଏହା ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ଏହାକୁ ୧ ଲକ୍ଷ ଲୋକ ଲାଇକ୍‌ ଏବଂ ଶେୟାର କରିସାରିଲେଣି। କମେଣ୍ଟ ବକ୍ସରେ ମଧ୍ୟ ୟୁଜରମାନେ ନିଜର ନିଜର ମତାମତ ରଖିଛନ୍ତି। କିଛି ୟୁଜର ଲେଖିଛନ୍ତି, ଅମିତାଭ ଏହି ପୋଷ୍ଟ କ’ଣ ଭାବି ଲେଖିଛନ୍ତି। ଏ ତ ଗଲା ତାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଫିଲ୍ମ ବିଷୟରେ କହିବା ତେବେ ଅମିତାଭଙ୍କ କିଛି ଫିଲ୍ମ ମହାମାରୀ କରୋନା ଯୋଗୁ ଅଟକି ରହିଛି। ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ସେ ନଜର ଆସିବେ। ଏଥିରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଅଭିନୟ କରିଛନ୍ତି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ହେବାକୁ ଥିବା ଏହି ଫିଲ୍ମକୁ ଦର୍ଶକେ ଚାତକ ପରି ଅପେକ୍ଷା କରିଛନ୍ତି। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଫିଲ୍ମର ଶୁଟିଂକୁ ଅଧାରୁ ବନ୍ଦ ରହିଛି।

 

Share